ଭୁବନେଶ୍ୱର: ପିଲାବେଳର କଥାକୁ ନେଇ ଏବେ ସାଧାରଣ ରେ ଉଠିଛି ନୂଆ ଝଡ଼। ଜଣେ ରାଜନୈତିକ ନେତାଙ୍କ ବ୍ୟକ୍ତିଗତ ଜୀବନର ପୁରୁଣା ଘଟଣାକୁ ନେଇ ଏକ ପ୍ରୋଡକାଷ୍ଟରେ ହୋଇଥିବା ଆଲୋଚନା ପରେ ଓଡ଼ିଶାର ରାଜନୈତିକ ମହଲରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପିଲାଦିନକୁ ନେଇ ତାଙ୍କର ଜଣେ ସମ୍ପର୍କୀୟଙ୍କ ଦାବିକୁ ନେଇ ବିଭିନ୍ନ ମତ ଆସୁଛି।
ଏକ ନିର୍ଦ୍ଧିଷ୍ଟ ଗଣ ମାଧ୍ୟମ ଦ୍ବାରା ପ୍ରଶାରିତ ପ୍ରୋଡକାଷ୍ଟରେ ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇ ନବୀନଙ୍କ ପିଲାଦିନ ସମ୍ପର୍କରେ କିଛି ବ୍ୟକ୍ତିଗତ କଥା କହିବା ପରେ ମାମନା ଖୁବ ସରଗରମ୍। ପିଲାଦିନେ କୁଆ଼ଡେ ନବୀନ ଶାଢ଼ି ପିନ୍ଧି ନାଚୁଥିଲେ ବୋଲି କୁହାଯାଇଥିବା ଅଂଶ ଏବେ ସବୁଠାରୁ ଅଧିକ ଚର୍ଚ୍ଚାର କାରଣ ହୋଇଛି। ଏହି ବୟାନକୁ ନେଇ ରାଜନୈତିକ ଅର୍ଥ ଖୋଜାଯାଉଥିବା ବେଳେ, ଏହାକୁ ନେଇ ତୀବ୍ର ମତଭେଦ ମଧ୍ୟ ଦେଖାଦେଇଛି।
ତେବେ ଏଠାରେ ବଡ଼ ପ୍ରଶ୍ନ ଉଠୁଛି—ଜଣେ ବ୍ୟକ୍ତିଙ୍କ ପିଲାଦିନର ବ୍ୟକ୍ତିଗତ ଘଟଣାକୁ ଆଜିର ରାଜନୀତି ସହ ଯୋଡ଼ିବା କେତେଦୂର ଯୁକ୍ତିସଙ୍ଗତ?
ନବୀନ ପଟ୍ଟନାୟକ ଦୀର୍ଘ ସମୟ ଧରି ଓଡ଼ିଶାର ରାଜନୀତିର ଏକ ପ୍ରମୁଖ ଚେହେରା ରହିଆସିଛନ୍ତି। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ସକ୍ରିୟ ରାଜନୀତିକୁ ଆସିଥିଲେ ଏବଂ ପରେ ବିଜୁ ଜନତା ଦଳ ଗଠନ କରି ଓଡ଼ିଶାର ରାଜନୀତିରେ ଦୀର୍ଘ 24 ବର୍ଷ ଧରି ପ୍ରଭାବଶାଳୀ ଭୂମିକା ନେଇଥିଲେ।
କିନ୍ତୁ ଏବେ ତାଙ୍କ ରାଜନୈତିକ ଭୂମିକାଠାରୁ ଅଧିକ ତାଙ୍କ ପିଲାଦିନର ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଆଲୋଚନା ହେଉଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ସୋସିଆଲ ମିଡିଆରେ କେହି ଏହାକୁ ମଜାକ ଓ ବ୍ୟଙ୍ଗର ବିଷୟ କରୁଥିବା ବେଳେ, ଆଉ କେହି ଏଭଳି ବ୍ୟକ୍ତିଗତ ପ୍ରସଙ୍ଗକୁ ରାଜନୈତିକ ଚର୍ଚ୍ଚାରେ ଟାଣିବା ଓ ଟ୍ରୋଲ କରିବା ଠିକ୍ ନୁହେଁ ବୋଲି ମତ ଦେଉଛନ୍ତି।
ଅନ୍ୟପଟେ, ପ୍ରୋଡକାଷ୍ଟ ମାଧ୍ୟମରେ ବ୍ୟକ୍ତିଗତ ବୟାନକୁ ସାର୍ବଜନୀନ କରାଯିବା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଥିଲା କି ନାହିଁ, ସେନେଇ ମଧ୍ୟ ଚର୍ଚ୍ଚା ଚାଲିଛି। କିଛି ସୋସିଆଲ ମିଡିଆ ୟୁଜର ଏହାକୁ ରାଜନୈତିକ ଟାର୍ଗେଟିଂ ବୋଲି କହୁଥିବା ବେଳେ, ଅନ୍ୟମାନେ ଏହାକୁ ସାଧାରଣ ମିଡିଆ କଣ୍ଟେଣ୍ଟ ଭାବେ ଦେଖୁଛନ୍ତି। ତେଣୁ ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ତାହା ସ୍ପଷ୍ଟ ଭାବେ କହିବା ପାଇଁ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ଓ ବୟାନଦାତାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିବା ଆବଶ୍ୟକ।
ରାଜନୀତିରେ ନେତାଙ୍କ କାର୍ଯ୍ୟ, ନୀତି, ନିଷ୍ପତ୍ତି ଓ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ। କିନ୍ତୁ ବ୍ୟକ୍ତିଗତ ଜୀବନର ପୁରୁଣା ଘଟଣାକୁ ରାଜନୈତିକ ଅସ୍ତ୍ର କରାଯିବା ଉଚିତ କି ନୁହେଁ, ସେନେଇ ଏବେ ନୂଆ ଆଲୋଚନା ଆରମ୍ଭ ହୋଇଛି।
ସୋସିଆଲ ମିଡିଆରେ ଚାଲିଥିବା ଏହି ତର୍କବିତର୍କ ମଧ୍ୟରେ ମୂଳ ପ୍ରଶ୍ନଟି ହେଉଛି—ରାଜନୀତିରେ ବିରୋଧୀଙ୍କୁ ଆଲୋଚନା କରିବା ପାଇଁ ନୀତି ଓ କାର୍ଯ୍ୟଦକ୍ଷତାକୁ ମାପଦଣ୍ଡ କରାଯିବ, ନା ବ୍ୟକ୍ତିଗତ ଜୀବନର ପୁରୁଣା କଥାକୁ ରାଜନୈତିକ ଅସ୍ତ୍ର କରାଯିବ?
ଏହି ବିବାଦ ଆଗକୁ କେଉଁ ମୋଡ଼ ନେବ, ତାହା ଉପରେ ଏବେ ରାଜନୈତିକ ମହଲ ଓ ସାଧାରଣ ଲୋକଙ୍କ ନଜର ରହିଛି।













