ଭୁବନେଶ୍ୱର, ୧୫/୦୮: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଖବର ପରେ ଲୋକଙ୍କ ଛାତିରେ ଛନକା ପସିଛି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ପ୍ରାୟ ୫୦ ବର୍ଷ। ଅସୁସ୍ଥ ହେବା ପରେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ଜଣାରଡିଛି।
ସୂଚନା ଅନୁସାରେ, ସଂକ୍ରମିତ ବ୍ୟକ୍ତିଙ୍କର ଅନ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ରହିଛି। ତେଣୁ ତାଙ୍କୁ ଡାକ୍ତରଙ୍କ ନଜରରେ ରଖାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଘଟଣା ଉପରେ ନଜର ରଖାଯାଉଛି।
କିଛି ମାସ ପୂର୍ବରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ କୋଭିଡ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ଖବର ପରେ ଓଡ଼ିଶାରେ ମଧ୍ୟ ଚିନ୍ତା ବଢ଼ିଥିଲା। ବିଶେଷକରି ଆନ୍ଧ୍ର ସୀମାକୁ ଲାଗିଥିବା ଗଞ୍ଜାମ ଜିଲ୍ଲାରେ ଲୋକେ ସତର୍କ ହୋଇଥିଲେ।
ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପ୍ରତିଦିନ ବହୁ ଲୋକଙ୍କ ଯାତାୟାତ ହୋଇଥାଏ। ବ୍ୟବସାୟ, ଚାକିରି ଓ ଅନ୍ୟାନ୍ୟ କାମ ପାଇଁ ଉଭୟ ପଟର ଲୋକେ ଯିବାଆସିବା କରନ୍ତି। ଏହାକୁ ନଜରରେ ରଖି ସଂକ୍ରମଣ ନ ବଢ଼ିବା ପାଇଁ ସମସ୍ତଙ୍କୁ ସତର୍କ ରହିବା ଜରୁରୀ।
କୋଭିଡ୍ ନେଇ ଭୟଭୀତ ହେବା ଅପେକ୍ଷା ଲୋକେ ସ୍ୱାସ୍ଥ୍ୟ ପ୍ରତି ସତର୍କ ଓ ସଚେତନ ରହିବା ଆବଶ୍ୟକ। ଅସୁସ୍ଥ ଲାଗିଲେ ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶ ନେବା ଭଲ ବୋଲି ଡାକ୍ତର ମତ ପ୍ରକାଶ କରିଛନ୍ତି ।














