ନୂଆଦିଲ୍ଲୀ: ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲା ପରିଚୟ। ପରିଚୟରୁ ବନ୍ଧୁତା, ଆଉ ବନ୍ଧୁତା ଧୀରେ ଧୀରେ ପରିଣତ ହୋଇଥିଲା ପ୍ରେମରେ। ଫେସବୁକ୍ରେ ଆରମ୍ଭ ହୋଇଥିବା ସେହି ସମ୍ପର୍କ ଦୁବାଇ ପର୍ଯ୍ୟନ୍ତ ପହଞ୍ଚିଥିଲା। ଦୀର୍ଘ ସମୟ ଧରି ଲିଭ୍-ଇନ୍ରେ ରହିବା ପରେ ଦୁହେଁ ବିବାହ ମଧ୍ୟ କରିଥିଲେ। ହେଲେ ଏବେ ସେହି ପ୍ରେମ କାହାଣୀରେ ଆସିଛି ବଡ଼ ମୋଡ଼।
ଦୁବାଇରେ ଗଢ଼ିଉଠିଥିବା ସମ୍ପର୍କ ଭାରତରେ ପହଞ୍ଚି ଥାନାର ଦ୍ୱାରରେ ହୋଇଛି। ଦୁବାଇରେ ଏକ ବଡ଼ ଆଇଟି କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟରତ ଜଣେ NRI ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ପ୍ରତାରଣା, ମାନସିକ ନିର୍ଯାତନା ଓ ଆର୍ଥିକ ଶୋଷଣ ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସ୍ୱାମୀଙ୍କୁ ଖୋଜି ଖୋଜି ସେ ଦୁବାଇରୁ ଭାରତ ଆସି ଶେଷରେ ମଧ୍ୟପ୍ରଦେଶର ଜବଲପୁରରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକାରୀ ଅଶ୍ୱିନ୍ଦର କୌରଙ୍କ କହିବା ଅନୁଯାୟୀ, ୨୦୨୦ ମସିହା ଅକ୍ଟୋବର ମାସରେ ଫେସବୁକ୍ ଜରିଆରେ ଜବଲପୁର ତ୍ରିମୂର୍ତ୍ତି ନଗରର ସୁନିଲ ଠାକୁରଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଦିନ ଗଡ଼ିବା ସହ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ପରେ ସୁନିଲ ଦୁବାଇ ଯାଇଥିଲେ ଏବଂ ସେଠାରେ ଦୁହେଁ ଏକାଠି ରହିବା ଆରମ୍ଭ କରିଥିଲେ। ପ୍ରାୟ ଦୀର୍ଘ ସମୟ ଧରି ଲିଭ୍-ଇନ୍ ସମ୍ପର୍କରେ ରହିବା ପରେ ଶେଷରେ ଏହି ସମ୍ପର୍କକୁ ବିବାହର ରୂପ ଦିଆଯାଇଥିଲା। ୨୩ ଫେବୃଆରୀ ୨୦୨୫ରେ ଜବଲପୁର ସିଭିକ୍ ସେଣ୍ଟର ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାରରେ ପରିବାରବର୍ଗଙ୍କ ଉପସ୍ଥିତିରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା। ପ୍ରେମର ସମ୍ପର୍କ ସାତ ଜନ୍ମର ସାଥୀ ହେବାର ପ୍ରତିଶ୍ରୁତିରେ ପରିଣତ ହୋଇଥିଲା। କିନ୍ତୁ ଅଭିଯୋଗ ଅନୁସାରେ, ବିବାହ ପରେ ଧୀରେ ଧୀରେ ସମ୍ପର୍କର ଚିତ୍ର ବଦଳିବାକୁ ଲାଗିଥିଲା।
ଅଶ୍ୱିନ୍ଦର ଦୁବାଇର ଏକ ପ୍ରତିଷ୍ଠିତ ଆଇଟି କମ୍ପାନୀରେ କଣ୍ଟ୍ରି ହେଡ୍ ଭାବେ କାମ କରୁଥିବାବେଳେ ତାଙ୍କର ମାସିକ ଆୟ ପ୍ରାୟ ୪.୫ ଲକ୍ଷ ଟଙ୍କା ଥିବା କୁହାଯାଇଛି। ଅନ୍ୟପକ୍ଷରେ ସୁନିଲଙ୍କ ମାସିକ ଆୟ ପ୍ରାୟ ୫୫ ହଜାର ଟଙ୍କା ଥିଲା। ମହିଳାଙ୍କ ଅଭିଯୋଗ ଅନୁ ସେଯାୟୀ, ଯେପର୍ଯ୍ୟନ୍ତ ସ୍ୱାମୀଙ୍କୁ ଆର୍ଥିକ ସହାୟତା କରୁଥିଲେ, ସେପର୍ଯ୍ୟନ୍ତ ସମ୍ପର୍କ ସ୍ୱାଭାବିକ ଥିଲା। ମାତ୍ର ପରେ ଆର୍ଥିକ ଦାବି ବଢ଼ିବା ସହ ତାହା ପୂରଣ କରିବା କଷ୍ଟକର ହେବାରୁ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ସେ ଅଭିଯୋଗ କରିଛନ୍ତି। ଘଟଣାରେ ନୂଆ ମୋଡ଼ ଆସିଥିଲା ଗତ ଜୁଲାଇ ଶେଷରେ। ୩୧ ଜୁଲାଇ ୨୦୨୬ରେ ଦୁହେଁ ଦୁବାଇରୁ ଭାରତ ଅଭିମୁଖେ ବାହାରିଥିଲେ। ୧ ଅଗଷ୍ଟରେ ଭାରତରେ ପହଞ୍ଚିବା ପରେ ସୁନିଲ ନିଜ ପରିବାର ସଦସ୍ୟଙ୍କ ପାଖକୁ ଯାଇ ପରେ ଜବଲପୁର ଚାଲିଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଏହା ପରଠାରୁ ସେ ଅଶ୍ୱିନ୍ଦରଙ୍କ ଫୋନ୍ ଉଠାଇବା ବନ୍ଦ କରିଦେଇଥିବା ମହିଳା ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କୁ ଖୋଜିବା ପାଇଁ ଅଶ୍ୱିନ୍ଦର ମୁମ୍ବାଇ, ସତନା ଓ ଜବଲପୁର ଭଳି ବିଭିନ୍ନ ସ୍ଥାନ ବୁଲିଥିଲେ। ସତନାରେ ସୁନିଲଙ୍କ ସହ ତାଙ୍କର ଦେଖା ହୋଇଥିଲେ ମଧ୍ୟ ସ୍ୱାମୀ ତାଙ୍କ ସହ ରହିବାକୁ ମନା କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ଶେଷରେ ମାନସିକ ନିର୍ଯାତନା, ପ୍ରତାରଣା ଓ ଆର୍ଥିକ ଶୋଷଣର ଅଭିଯୋଗ ନେଇ ଅଶ୍ୱିନ୍ଦର ଜବଲପୁରର ଗୋହଲପୁର ଥାନାରେ FIR ଦାଖଲ କରିଛନ୍ତି। ସ୍ୱାମୀ ସୁନିଲ ଠାକୁର ଓ ଶାଶୁଘର ଲୋକଙ୍କ ବିରୋଧରେ ଯୌତୁକ, ନଗଦ ଟଙ୍କା ଏବଂ ଗହଣା ହଡ଼ପ କରିବା ଭଳି ଅଭିଯୋଗ ଆଣାଯାଇଛି। ପୋଲିସ କହିଛି ଯେ, ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ସମସ୍ତ ଆଇନଗତ ଦିଗକୁ ନେଇ ତଦନ୍ତ ଚାଲିଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମ, ଦୁବାଇରେ ଲିଭ୍-ଇନ୍, ପରେ ବିବାହ ଏବଂ ଶେଷରେ ଥାନାରେ ଅଭିଯୋଗ—ଏହି ସମଗ୍ର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।














