ବ୍ରହ୍ମପୁର: ଟଙ୍କା ନେଣଦେଣକୁ ନେଇ ଆକ୍ରମଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ବଡବଜାର ଥାନା ପୋଲିସ। ଅଭିଯୁକ୍ତ ଜଣକ ହେଲେ ମହମ୍ମଦ ତୌଫିକ, ବୟସ ୧୯ ବର୍ଷ। ତାଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଏକ ଲୁହା କାତି ଜବତ ହୋଇଛି।
ପୋଲିସ ସୂଚନା ଅନୁସାରେ, ୩୦ ହଜାର ଟଙ୍କା ନେଣଦେଣକୁ ନେଇ ବ୍ରହ୍ମପୁର ଜଗନ୍ନାଥ ବିହାର ଅଞ୍ଚଳରେ ବିବାଦ ହୋଇଥିଲା। ଜଣେ ଭଡ଼ାଟିଆ ଘର ଛାଡ଼ି ଟଙ୍କା ଫେରସ୍ତ ନକରିବା ନେଇ ତାଙ୍କ ମା’ଙ୍କୁ ପଚାରିଥିଲେ ଅଭିଯୋଗକାରୀ। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳକୁ ଆସି ଅଭିଯୋଗକାରୀ ଓ ତାଙ୍କ ସ୍ୱାମୀଙ୍କ ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।
ପରେ ଅଭିଯୁକ୍ତ ତାଙ୍କ ସ୍ୱାମୀ କୁଳଦୀପ ଡମାଲଙ୍କ ମୁଣ୍ଡ ଓ ବେକ ଅଞ୍ଚଳକୁ ଲୁହା କାତିରେ ଆକ୍ରମଣ କରିଥିବା ପୋଲିସ କହିଛି। ଆକ୍ରମଣରୁ ବଞ୍ଚିବା ବେଳେ ତାଙ୍କ ହାତ ଓ ବାହୁରେ ଗୁରୁତର ଆଘାତ ଲାଗିଛି। ଆହତଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲରେ ଚିକିତ୍ସା କରାଯାଇଛି।
ଘଟଣାରେ ବଡବଜାର ଥାନାରେ ମାମଲା ରୁଜୁ ପରେ ଖଜା ସାହିସ୍ଥିତ ଘରୁ ଅଭିଯୁକ୍ତ ମହମ୍ମଦ ତୌଫିକଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ୧୫ ଇଞ୍ଚ ଲମ୍ବର ଏକ ଲୁହା କାତି ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଆଜି ବ୍ରହ୍ମପୁର SDJM କୋର୍ଟରେ ହାଜର କରାଯାଇଛି।














