୧.୭୨ ଲକ୍ଷ ମାମଲା, ମାତ୍ର ୧୭ ବିଚାରପତି; ନ୍ୟାୟର ପଥରେ ସଙ୍କଟ, ଖୁବ୍‌ଶୀଘ୍ର ପୂରଣ ହେବ ଖାଲି ପଦବୀ: ଆଇନ ମନ୍ତ୍ରୀ

Spread the love      କଟକ: ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ନ୍ୟାୟପାଳିକା। ହେଲେ ନ୍ୟାୟ ଦେବାର ଦାୟିତ୍ୱ ଥିବା ବିଚାରପତିଙ୍କ ସଂଖ୍ୟା ଆବଶ୍ୟକତାଠାରୁ କମିଗଲେ ନ୍ୟାୟ ପ୍ରଦାନର ଗତି ଧିମା ହେବା ସ୍ୱାଭାବିକ। ବର୍ତ୍ତମାନ ଓଡ଼ିଶା ହାଇକୋର୍ଟ ଏଭଳି ଏକ ଚିନ୍ତାଜନକ ସ୍ଥିତି ଦେଇ ଗତି କରୁଛି। ୧.୭୨ ଲକ୍ଷ ମାମଲାର ଭାର ମୁଣ୍ଡାଇଥିବା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ୩୩ ଜଣ ବିଚାରପତିଙ୍କ ସ୍ଥାନରେ ଏବେ ମାତ୍ର ୧୭ ଜଣ କାର୍ଯ୍ୟରତ ଅଛନ୍ତି। ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ…

Spread the love

କଟକ: ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ନ୍ୟାୟପାଳିକା। ହେଲେ ନ୍ୟାୟ ଦେବାର ଦାୟିତ୍ୱ ଥିବା ବିଚାରପତିଙ୍କ ସଂଖ୍ୟା ଆବଶ୍ୟକତାଠାରୁ କମିଗଲେ ନ୍ୟାୟ ପ୍ରଦାନର ଗତି ଧିମା ହେବା ସ୍ୱାଭାବିକ। ବର୍ତ୍ତମାନ ଓଡ଼ିଶା ହାଇକୋର୍ଟ ଏଭଳି ଏକ ଚିନ୍ତାଜନକ ସ୍ଥିତି ଦେଇ ଗତି କରୁଛି। ୧.୭୨ ଲକ୍ଷ ମାମଲାର ଭାର ମୁଣ୍ଡାଇଥିବା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ୩୩ ଜଣ ବିଚାରପତିଙ୍କ ସ୍ଥାନରେ ଏବେ ମାତ୍ର ୧୭ ଜଣ କାର୍ଯ୍ୟରତ ଅଛନ୍ତି। ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଖୁବ୍‌ଶୀଘ୍ର ଖାଲି ଥିବା ବିଚାରପତି ପଦବୀ ପୂରଣ ହେବ ବୋଲି ଆଶ୍ୱାସନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ମଞ୍ଜୁରୀପ୍ରାପ୍ତ ପଦ ସଂଖ୍ୟା ୩୩ ଥିବା ବେଳେ ବର୍ତ୍ତମାନ ମାତ୍ର ୧୭ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ଅର୍ଥାତ୍‌ ପ୍ରାୟ ଅଧା ପଦ ଖାଲି ପଡ଼ିଛି। ଏପଟେ ହାଇକୋର୍ଟରେ ପ୍ରାୟ ୧.୭୨ ଲକ୍ଷ ମାମଲା ବିଚାରାଧୀନ ରହିଛି। ମାତ୍ର ୧୭ ଜଣ ବିଚାରପତି ଏହି ମାମଲାଗୁଡ଼ିକର ଶୁଣାଣି କରୁଥିବାରୁ ନ୍ୟାୟ ପ୍ରଦାନର ଗତିକୁ ନେଇ ପ୍ରଶ୍ନ ଉଠିଛି।

ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌ ଏହି ସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି। ଖାଲି ପଡ଼ିଥିବା ବିଚାରପତି ପଦଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ଆସୋସିଏସନ୍‌ ଦାବି କରିଛି। ବିଚାରପତିଙ୍କ ଏହି ଅଭାବ ଜାରି ରହିଲେ ନ୍ୟାୟ ବ୍ୟବସ୍ଥା ଉପରେ ଏହାର ଗମ୍ଭୀର ପ୍ରଭାବ ପଡ଼ିପାରେ ବୋଲି ଆସୋସିଏସନ୍‌ ଚେତାବନୀ ଦେଇଛି।

ବର୍ତ୍ତମାନ ହାଇକୋର୍ଟରେ ପ୍ରାୟ ୧.୭୨ ଲକ୍ଷ ମାମଲା ବିଚାରାଧୀନ ରହିଛି। ହିସାବ କଲେ ଜଣେ ବିଚାରପତିଙ୍କ ପାଇଁ ହାରାହାରି ପ୍ରାୟ ୧୦ ହଜାରରୁ ଅଧିକ ମାମଲା ରହିଛି। ପ୍ରତିବର୍ଷ ମାମଲା ସଂଖ୍ୟା ବଢ଼ୁଥିବାରୁ ଶୀଘ୍ର ନ୍ୟାୟ ପାଇବା ନେଇ ଚିନ୍ତା ଆହୁରି ବଢ଼ିଛି।

ବର୍ତ୍ତମାନ କାର୍ଯ୍ୟରତ ୧୭ ଜଣ ବିଚାରପତିଙ୍କ ମଧ୍ୟରୁ ୨ ଜଣଙ୍କୁ ବଦଳି କରିବାକୁ ସୁପ୍ରିମକୋର୍ଟ କଲେଜିୟମ୍‌ ପୂର୍ବରୁ ସୁପାରିଶ କରିଛି। ଏହା ସହିତ ଆଉ ୨ ଜଣ ବିଚାରପତିଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି। ସେମାନଙ୍କ ମଧ୍ୟରୁ ଜଣେ ଅକ୍ଟୋବରରେ ଏବଂ ଅନ୍ୟ ଜଣେ ନଭେମ୍ବରରେ ଅବସର ନେବେ। ଏହି ସମୟ ମଧ୍ୟରେ ନୂଆ ବିଚାରପତି ନିଯୁକ୍ତ ନହେଲେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ମଞ୍ଜୁରୀପ୍ରାପ୍ତ ପଦର ୫୦ ପ୍ରତିଶତରୁ ମଧ୍ୟ କମିଯାଇପାରେ।

ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌ର ସଭାପତି ଲଲାଟେନ୍ଦୁ ସାମନ୍ତରାୟ କହିଛନ୍ତି, “ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ବାସ୍ତବରେ ୧୫ ଜଣ ବିଚାରପତି ଅଛନ୍ତି। ଆଉ ୨ ଜଣ ବିଚାରପତି ନଭେମ୍ବର ଶେଷ ସୁଦ୍ଧା ଅବସର ନେବେ। ଫଳରେ ବିଚାରପତିଙ୍କ ସଂଖ୍ୟା ୧୩କୁ ଖସିଆସିବ। ସେତେବେଳକୁ ବିଚାରାଧୀନ ମାମଲା ସଂଖ୍ୟା ୧.୭୨ ଲକ୍ଷରୁ ବଢ଼ି ୨ ଲକ୍ଷରେ ପହଞ୍ଚିପାରେ। ମାତ୍ର ୧୩ ଜଣ ବିଚାରପତିଙ୍କୁ ନେଇ ହାଇକୋର୍ଟ କିପରି କାର୍ଯ୍ୟ କରିବ?”

ଏପଟେ ବିଚାରପତିଙ୍କ ଅଭାବ ନେଇ ରାଜ୍ୟ ସରକାର ଅବଗତ ଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଖାଲି ଥିବା ବିଚାରପତି ପଦବୀ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି।

ଆଇନ ମନ୍ତ୍ରୀ କହିଛନ୍ତି, “ହାଇକୋର୍ଟରେ ବିଚାରପତି ସଂଖ୍ୟା କମ୍ ଥିବା ନେଇ ରାଜ୍ୟ ସରକାର ଅବଗତ ଅଛନ୍ତି। ଖାଲି ଥିବା ବିଚାରପତି ପଦବୀ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ହାଇକୋର୍ଟରେ ଖାଲି ଥିବା ବିଚାରପତି ପଦବୀ ପୂରଣ ହେବ। ନ୍ୟାୟ ପ୍ରକ୍ରିୟାରେ କିଭଳି ସମସ୍ୟା ନ ଉପୁଜିବ, ସେନେଇ ଆମେ ମଧ୍ୟ ଯତ୍ନବାନ ଅଛୁ। ସୁପ୍ରିମକୋର୍ଟ କଲେଜିୟମ୍‌ ଯଥାଶୀଘ୍ର ଏ ନେଇ ନିଷ୍ପତ୍ତି ନେଲେ ଖାଲି ଥିବା ବିଚାରପତିଙ୍କ ପଦବୀ ପୂରଣ ହୋଇପାରିବ।”

ଏହି ମଧ୍ୟରେ ସୁପ୍ରିମକୋର୍ଟରେ ଓଡ଼ିଆ ବିଚାରପତିଙ୍କ ପ୍ରତିନିଧିତ୍ୱକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ବାର ଆସୋସିଏସନ୍‌ର କହିବା ଅନୁଯାୟୀ, ୨୦୧୮ ପରଠାରୁ ଓଡ଼ିଶାର କୌଣସି ବିଚାରପତି ସୁପ୍ରିମକୋର୍ଟରେ ନିଯୁକ୍ତ ହୋଇନାହାନ୍ତି।

ଅତୀତରେ ଜଷ୍ଟିସ୍‌ ରଙ୍ଗନାଥ ମିଶ୍ର, ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ ଏବଂ ଜଷ୍ଟିସ୍‌ ଦୀପକ ମିଶ୍ର ଭାରତର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇଛନ୍ତି। କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ ନଥିବାରୁ ଭବିଷ୍ୟତରେ ଜଣେ ଓଡ଼ିଆ ବିଚାରପତି ଭାରତର ପ୍ରଧାନ ବିଚାରପତି ହେବାର ସମ୍ଭାବନାକୁ ନେଇ ପ୍ରଶ୍ନ ଉଠିଛି ବୋଲି ହାଇକୋର୍ଟ ବାର ଆସୋସିଏସନ୍‌ର ସମ୍ପାଦକ କହିଛନ୍ତି।

ଶୀଘ୍ର ମାମଲାର ସମାଧାନ ପାଇଁ ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଆବଶ୍ୟକ ସଂଖ୍ୟକ ବିଚାରପତି ଓ କର୍ମଚାରୀ ନିଯୁକ୍ତ କରିବା ଉପରେ ଆଇନଜୀବୀମାନେ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟ କଲେଜିୟମ୍‌ ନୂଆ ବିଚାରପତି ନିଯୁକ୍ତି ପାଇଁ ସୁପାରିଶ କରିଥିବା ଜଣାପଡ଼ିଥିଲେ ମଧ୍ୟ ଏହି ସୁପାରିଶ ଉପରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।

ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌ର ସମ୍ପାଦକ ହୃଦାନନ୍ଦ ମହାପାତ୍ର କହିଛନ୍ତି, “୨୦୧୮ ପରଠାରୁ କୌଣସି ଓଡ଼ିଆ ବିଚାରପତି ସୁପ୍ରିମକୋର୍ଟରେ ନିଯୁକ୍ତ ହୋଇନାହାନ୍ତି। ଯେତେ ଶୀଘ୍ର ଓଡ଼ିଶାରୁ ସୁପ୍ରିମକୋର୍ଟକୁ ପ୍ରତିନିଧିତ୍ୱ ମିଳିବ, ସେତେ ଅଧିକ ଜଣେ ଓଡ଼ିଆ ବିଚାରପତି ଭବିଷ୍ୟତରେ ବରିଷ୍ଠତା ଆଧାରରେ ଭାରତର ପ୍ରଧାନ ବିଚାରପତି ହେବାର ସମ୍ଭାବନା ରହିବ। ଯେତେବେଳେ ଓଡ଼ିଶାର ସୁପ୍ରିମକୋର୍ଟରେ କୌଣସି ପ୍ରତିନିଧିତ୍ୱ ନାହିଁ, ସେତେବେଳେ ଜଣେ ଓଡ଼ିଆ କିପରି ଭାରତର ପ୍ରଧାନ ବିଚାରପତି ହେବେ?”

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor