ବୁର୍ଲା, ୧୭/୮: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣି ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଛି। ଏଥିପାଇଁ ଜଳଭଣ୍ଡାରର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ପରିସ୍ଥିତିକୁ ଦେଖି ସୋମବାର ସକାଳେ ଆଉ ୫ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।
ଏବେ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱର ୫ଟି ଓ ଡାହାଣ ପାର୍ଶ୍ୱର ୨ଟି, ମୋଟ ୭ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ସୋମବାର ପୂର୍ବାହ୍ନ ସାଢ଼େ ୯ଟାର ସୂଚନା ଅନୁସାରେ, ଜଳଭଣ୍ଡାରର ଜଳସ୍ତର ୬୧୯.୦୨ ଫୁଟ୍ ରହିଛି।
ସେହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୧ ହଜାର ୨୪୦ ଘନଫୁଟ୍ ବନ୍ୟାଜଳ ପ୍ରବେଶ କରୁଛି। ଅନ୍ୟପଟେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ମୋଟ ୧ ଲକ୍ଷ ୪୨ ହଜାର ୨୮୪ ଘନଫୁଟ୍ ଜଳ ଛଡ଼ାଯାଉଛି।
ଏଥିରୁ ୭ଟି ସ୍ଲୁଇସ୍ ଗେଟ୍ ଦେଇ ୧ ଲକ୍ଷ ୯ ହଜାର ୧୪୪ ଘନଫୁଟ୍ ଜଳ ନିଷ୍କାସିତ ହେଉଛି। ଏହାବ୍ୟତୀତ ବିଭିନ୍ନ କେନାଲ, ବିଦ୍ୟୁତ୍ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲ ଓ ଶିଳ୍ପ କାର୍ଯ୍ୟ ପାଇଁ ମୋଟ ୩୩,୧୪୦ ଘନଫୁଟ୍ ଜଳ ବ୍ୟବହାର ହେଉଛି।
ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଆଗକୁ ଜଳଭଣ୍ଡାରକୁ ଆହୁରି ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଜଳସ୍ତର ଓ ଜଳ ପ୍ରବେଶ ପରିମାଣ ଉପରେ ହୀରାକୁଦ କର୍ତ୍ତୃପକ୍ଷ ନଜର ରଖିଛନ୍ତି।














