ଜଙ୍ଗଲ ଭିତରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ। ଜବତ ହେଲା ୨୮ଟି ଗଞ୍ଜେଇ ବସ୍ତା। ତେବେ ଘଟଣାସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତର ଆଟାପଡ଼ା ଗାଁ ନିକଟସ୍ଥ ଜଙ୍ଗଲରେ ଦେଖିବାକୁ ମିଳିଛି।ଅଡବା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଆଟାପଡ଼ା ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଚୋରାଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ୨୮ଟି ଗଞ୍ଜେଇ ବସ୍ତା ଜବତ କରିଥିଲା ପୋଲିସ।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବା ପରେ ଏହାର ପରିମାଣ ୭୦୨ କିଲୋଗ୍ରାମରୁ ଅଧିକ ଥିବା ଜଣାପଡ଼ିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଡବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।ତେବେ ଏହି ଗଞ୍ଜେଇ ଚୋରାଚାଲାଣରେ କେଉଁମାନେ ସାମିଲ ଅଛନ୍ତି ଏବଂ ଏହା କେଉଁଠାକୁ ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ମଧ୍ୟ ଚେଷ୍ଟା ଚାଲିଛି।














