ଭୋକର ଯନ୍ତ୍ରଣା ଆଜି ବି ଜୀବନ୍ତ: ବିକଶିତ ଭାରତର ସ୍ୱପ୍ନ ଭିତରେ ଅଭାବୀ ମଣିଷର ନିରବ କାହାଣୀ

Spread the love      ବ୍ରହ୍ମପୁର: ସ୍ୱାଧୀନତାର ୮ ଦଶନ୍ଧି ପରେ ଦେଶ ବିକାଶ ଓ ପ୍ରଗତିର ନୂଆ ଅଧ୍ୟାୟ ଲେଖୁଛି। ଦେଶ ଆଜି ଚନ୍ଦ୍ରଯାନଠାରୁ ଡିଜିଟାଲ୍‌ ଇଣ୍ଡିଆ, ଆଧୁନିକ ସହରଠାରୁ ସ୍ମାର୍ଟ ଜୀବନଶୈଳୀ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଆଗକୁ ବଢ଼ୁଛି। କିନ୍ତୁ ଏହି ବିକାଶର ଚିତ୍ର ମଧ୍ୟରେ ଏମିତି କିଛି ଦୃଶ୍ୟ ରହିଛି, ଯାହା ଆମକୁ ଥମ୍କି ଭାବିବାକୁ ବାଧ୍ୟ କରେ। ପ୍ରତିଦିନ ଦୁଇବେଳା ପେଟପୂରା ଖାଇବା ମଧ୍ୟ ଯେଉଁମାନଙ୍କ ପାଇଁ ଏବେ ବି ସଂଘର୍ଷ, ସେମାନଙ୍କ ଜୀବନରେ…

Spread the love

ବ୍ରହ୍ମପୁର: ସ୍ୱାଧୀନତାର ୮ ଦଶନ୍ଧି ପରେ ଦେଶ ବିକାଶ ଓ ପ୍ରଗତିର ନୂଆ ଅଧ୍ୟାୟ ଲେଖୁଛି। ଦେଶ ଆଜି ଚନ୍ଦ୍ରଯାନଠାରୁ ଡିଜିଟାଲ୍‌ ଇଣ୍ଡିଆ, ଆଧୁନିକ ସହରଠାରୁ ସ୍ମାର୍ଟ ଜୀବନଶୈଳୀ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଆଗକୁ ବଢ଼ୁଛି। କିନ୍ତୁ ଏହି ବିକାଶର ଚିତ୍ର ମଧ୍ୟରେ ଏମିତି କିଛି ଦୃଶ୍ୟ ରହିଛି, ଯାହା ଆମକୁ ଥମ୍କି ଭାବିବାକୁ ବାଧ୍ୟ କରେ। ପ୍ରତିଦିନ ଦୁଇବେଳା ପେଟପୂରା ଖାଇବା ମଧ୍ୟ ଯେଉଁମାନଙ୍କ ପାଇଁ ଏବେ ବି ସଂଘର୍ଷ, ସେମାନଙ୍କ ଜୀବନରେ ବିକାଶର ଅର୍ଥ କେତେ ପହଞ୍ଚିଛି—ଏହି ପ୍ରଶ୍ନ ଏକ ଫଟୋ ଉଠାଇଛି।
ବ୍ରହ୍ମପୁରର ଆମିଷ ବଜାରରେ କୋଳାହଳ ଭିତରେ ଚାଲିଥିଲା ବିକ୍ରିବଟା। ଗ୍ରାହକମାନେ ନିଜ ପସନ୍ଦର ମାଂସ କିଣିବାରେ ବ୍ୟସ୍ତ। ଦୋକାନରେ ଝୁଲୁଥିବା ମାଂସକୁ ଦେଖି କେହି କିଣାକିଣି କରୁଥିବା ବେଳେ, ସେହି ବଜାରର ଏକ କୋଣରେ ନିରବ ଭାବରେ ଠିଆ ହୋଇଥିଲେ ଜଣେ ଅଭାବୀ ମଣିଷ। ତାଙ୍କ ଆଖି ଯେପରି ଝୁଲୁଥିବା ମାଂସ ଖଣ୍ଡ ଆଡ଼କୁ ଅନେଇ ରହିଥିଲା। ନା ତାଙ୍କ ପାଖରେ କିଣିବା ପାଇଁ ପର୍ଯ୍ୟାପ୍ତ ପଇସା ଅଛି, ନା ମନଭରି ଖାଇବାର ସୁଯୋଗ।
ଭୋକର ଯନ୍ତ୍ରଣାକୁ ଶବ୍ଦରେ କହିବା ହୁଏତ ସହଜ ନୁହେଁ। ଯେଉଁ ମଣିଷ ନିଜ ଜୀବନର ପ୍ରତ୍ୟେକ ଦିନ ଅଭାବ ସହ ଲଢ଼ୁଛି, ତାଙ୍କ ଆଖିର ଭାଷାକୁ ବୁଝିବା ପାଇଁ କେବଳ ସମ୍ବେଦନଶୀଳ ଦୃଷ୍ଟି ଦରକାର। ଭୋକିଲା ପେଟ ପିଠିକୁ ଲାଗିଯାଇଥିବା ଭଳି ଦିଶୁଛି। ବୟସର ଅପରାହ୍ନରେ ଶରୀର ମଧ୍ୟ ଆଉ ଅଣ୍ଟା ସଳଖି ଠିଆ ହେବାକୁ ସହଯୋଗ କରୁନାହିଁ। ତଥାପି ଜୀବନ ଚାଲିଛି, ଆଶା ଚାଲିଛି ଏବଂ ପେଟର ଭୋକ ମଧ୍ୟ ଚାଲିଛି।
ଆଧୁନିକ ଜୀବନଶୈଳୀରେ ଅଭ୍ୟସ୍ତ ମଣିଷ ପାଇଁ ଏଭଳି ଅଭାବର ଗଭୀରତା ବୁଝିବା ସବୁବେଳେ ସହଜ ନୁହେଁ। ଆମେ ଯେତେବେଳେ ଖାଦ୍ୟକୁ ପସନ୍ଦ ଓ ରୁଚି ଅନୁସାରେ ବାଛୁଛୁ, ସେତେବେଳେ ଆଉ କେହି ଜଣେ ଦିନକୁ ଦୁଇବେଳା ଖାଦ୍ୟ ମିଳିବ କି ନାହିଁ, ସେହି ଚିନ୍ତାରେ ଦିନ କାଟୁଛନ୍ତି।
ଫଟୋଗ୍ରାଫର ଚିକୁଙ୍କ ଦୃଷ୍ଟିରେ କଏଦ ହୋଇଥିବା ଏହି ଦୃଶ୍ୟ ତେଣୁ କେବଳ ଏକ ଫଟୋ ନୁହେଁ; ଏହା ସମାଜର ଏକ ବାସ୍ତବ ଚିତ୍ର। ଫଟୋଗ୍ରାଫି ଦିବସରେ ତାଙ୍କ କ୍ୟାମେରାର ଲେନ୍ସ ଯେଉଁ ଦୃଶ୍ୟକୁ ଲୋକଲୋଚନକୁ ଆଣିଛି, ତାହା ଆମକୁ ବିକାଶର ଅନ୍ୟ ଏକ ଦିଗ ଦେଖାଉଛି।
ବିକଶିତ ଭାରତର ସ୍ୱପ୍ନ ସେତେବେଳେ ଅଧିକ ସାର୍ଥକ ହେବ, ଯେତେବେଳେ ବିକାଶର ଲାଭ ସମାଜର ଶେଷ ଧାଡ଼ିରେ ଥିବା ମଣିଷଟି ପର୍ଯ୍ୟନ୍ତ ପହଞ୍ଚିବ। ଖାଲି ପେଟକୁ ଖାଦ୍ୟ, ଅସହାୟଙ୍କୁ ସହାୟତା ଓ ଶ୍ରମଜୀବୀଙ୍କୁ ସମ୍ମାନ ମିଳିଲେ ହିଁ ବିକାଶର ଅର୍ଥ ପୂର୍ଣ୍ଣ ହେବ। ବ୍ରହ୍ମପୁର ବଜାରର ଏହି ଗୋଟିଏ ଛବି ହୁଏତ ଅନେକ ପ୍ରଶ୍ନର ଉତ୍ତର ଚାହୁଁଛି—ବିକାଶର ଦୌଡ଼ରେ କେହି କି ଏବେ ବି ପଛରେ ରହିଯାଉଛି?

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor