ଭୁବନେଶ୍ୱର, ୧୬/୯: ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପକୁ ନେଇ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଇନ୍ଫୋଭ୍ୟାଲିରେ ସିକ୍ସେମ୍ କମ୍ପାନି ପକ୍ଷରୁ ଏକ ଅତ୍ୟାଧୁନିକ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ସ୍ଥାପନ ହେବ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୩,୪୦୬ କୋଟି ଟଙ୍କାର ନିବେଶ କରାଯିବ। ଓଡ଼ିଶାରେ ଦ୍ୱିତୀୟ ବୃହତ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପ୍ରସ୍ତାବକୁ ଫାଲ୍ଟା ଏସ୍ଇଜେଡ୍ର ୟୁନିଟ୍ ଅନୁମୋଦନ କମିଟି ମଞ୍ଜୁରି ଦେଇଛି।
ଜଟଣୀ ତହସିଲ ଅନ୍ତର୍ଗତ ଇଡ୍କୋ ଇନ୍ଫୋଭ୍ୟାଲିରେ ପ୍ରାୟ ୨୨.୮୮ ଏକର ଜମିରେ ଏହି ଉତ୍ପାଦନ କେନ୍ଦ୍ର ଗଢ଼ିଉଠିବ। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଏସ୍ଇଜେଡ୍ ନିୟମାବଳୀ ଅନୁସାରେ ପ୍ରକଳ୍ପଟି କାର୍ଯ୍ୟକାରୀ ହେବ। ଆଧୁନିକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଏହି ୟୁନିଟ୍ ରାଜ୍ୟର କ୍ଷମତାକୁ ଆହୁରି ବଢ଼ାଇବା ସହ ରପ୍ତାନିଭିତ୍ତିକ ଶିଳ୍ପକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।
ଏହି ପ୍ରକଳ୍ପର ବିଶେଷତ୍ୱ ହେଉଛି ଏଠାରେ ସିଲିକନ୍ କାର୍ବାଇଡ୍ (SiC) କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରଯୁକ୍ତି ବ୍ୟବହାର କରାଯିବ। ୟୁନିଟ୍ରେ ବାର୍ଷିକ ପ୍ରାୟ ୪୮ ଲକ୍ଷ SiC ଡାୟୋଡ୍ ଏବଂ ୯.୧୨ କୋଟି SiC MOSFET ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି। ଏହି ଉତ୍ପାଦନ କ୍ଷମତା ଭବିଷ୍ୟତରେ ଦେଶର ଉନ୍ନତ ଇଲେକ୍ଟ୍ରୋନିକ୍ସ ଓ ପାୱାର୍ ଡିଭାଇସ୍ ଚାହିଦା ପୂରଣରେ ସହାୟକ ହୋଇପାରେ।
ପ୍ରକଳ୍ପଟି ରାଜ୍ୟର ରୋଜଗାର କ୍ଷେତ୍ରରେ ମଧ୍ୟ ପ୍ରଭାବ ପକାଇବ। ଏହାଦ୍ୱାରା ପ୍ରାୟ ୧୨୭୦ଟି କୁଶଳୀ ନିଯୁକ୍ତି ସୃଷ୍ଟି ହେବାର ଆକଳନ ରହିଛି। ଏହା ବ୍ୟତୀତ ସ୍ଥାନୀୟ ଶିଳ୍ପ, ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳ ସହ ଜଡ଼ିତ କ୍ଷେତ୍ରଗୁଡ଼ିକରେ ମଧ୍ୟ ପରୋକ୍ଷ ନିଯୁକ୍ତି ସୁଯୋଗ ବଢ଼ିପାରେ।
କେବଳ ନିଯୁକ୍ତି ନୁହେଁ, ରପ୍ତାନି କ୍ଷେତ୍ରରେ ମଧ୍ୟ ପ୍ରକଳ୍ପଟିର ବଡ଼ ଅବଦାନ ରହିବା ଆଶା କରାଯାଉଛି। ୟୁନିଟ୍ କାର୍ଯ୍ୟକ୍ଷମ ହେବା ପରେ ପ୍ରଥମ ୫ ବର୍ଷ ମଧ୍ୟରେ ପ୍ରାୟ ୭୦୪୩ କୋଟି ଟଙ୍କାର ରପ୍ତାନି ହେବା ନେଇ ଆକଳନ କରାଯାଇଛି। ସେହି ସମୟ ମଧ୍ୟରେ କମ୍ପାନି ପ୍ରାୟ ୪୫୨୩ କୋଟି ଟଙ୍କାର ନିଟ୍ ବୈଦେଶିକ ମୁଦ୍ରା ଅର୍ଜନ କରିପାରେ।
ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏହି ଅନୁମୋଦନକୁ ଭାରତ ସେମିକଣ୍ଡକ୍ଟର ମିଶନ୍ ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ବିଶେଷକରି SiC ଚିପ୍ର ଚାହିଦା ଦିନକୁ ଦିନ ବଢ଼ୁଥିବାରୁ ଏହି ପ୍ରକଳ୍ପ ଓଡ଼ିଶାର ସେମିକଣ୍ଡକ୍ଟର ଇକୋସିଷ୍ଟମ୍କୁ ଆହୁରି ସୁଦୃଢ଼ କରିପାରେ।
ସାଧାରଣ ସିଲିକନ୍ ଭିତ୍ତିକ ଚିପ୍ ତୁଳନାରେ ସିଲିକନ୍ କାର୍ବାଇଡ୍ ସେମିକଣ୍ଡକ୍ଟର ଅଧିକ ତାପମାତ୍ରା ଓ ଉଚ୍ଚ ଭୋଲଟେଜ୍ ପରିସ୍ଥିତିରେ କାମ କରିବା ସହ ଶକ୍ତି ଦକ୍ଷତାରେ ମଧ୍ୟ ଉପଯୋଗୀ। ଏହି କାରଣରୁ ବୈଦ୍ୟୁତିକ ଯାନ, ଫାଷ୍ଟ ଚାର୍ଜିଂ ଷ୍ଟେସନ୍, ସୌର ଇନ୍ଭର୍ଟର, ସ୍ମାର୍ଟ ଗ୍ରିଡ୍, ଡାଟା ସେଣ୍ଟର ଓ ଶିଳ୍ପ ଅଟୋମେସନ୍ ଭଳି କ୍ଷେତ୍ରରେ ଏହାର ଚାହିଦା ରହିଛି।
ଏଭଳି ପ୍ରଯୁକ୍ତି ଭିତ୍ତିକ ବୃହତ ନିବେଶ ଓଡ଼ିଶାର ଶିଳ୍ପ ମାନଚିତ୍ରକୁ ନୂଆ ଦିଗ ଦେଇପାରେ। ଜଟଣୀ ଇନ୍ଫୋଭ୍ୟାଲିରେ ସିକ୍ସେମ୍ର ଏହି ୟୁନିଟ୍ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଚିପ୍ ଉତ୍ପାଦନ, ଦକ୍ଷ ମାନବ ସମ୍ବଳ ଓ ସମ୍ପୃକ୍ତ ଯୋଗାଣ ଶୃଙ୍ଖଳର ବିକାଶକୁ ନୂଆ ଗତି ମିଳିବାର ସମ୍ଭାବନା ରହିଛି।











