ଗଞ୍ଜାମ ଜିଲ୍ଲାର ଦୁଇ ଟାଣୁଆ ବିଜେପି ନେତାଙ୍କୁ ନେଇ ଏବେ ରାଜ୍ୟ ରାଜନୀତିରେ ଖୁବ୍ ଆଲୋଡ଼ନ। ବର୍ଷ ବର୍ଷ ଧରି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନୀ ମଇଦାନରେ ଲଢ଼ି ଆସୁଥିବା ଏହି ଦୁଇ ନେତା ଗତ ନିର୍ବାଚନରେ କୋଳାକୋଳି ହୋଇ, ହାତ ଧରି ଆଗକୁ ବଢ଼ିଥିଲେ। ନିର୍ବାଚନ ସରିଲା, ନିଜ ନିଜ ପଦବିରେ ବିଜୟ ମୁକୁଟ ପିନ୍ଧିଲେ। ହେଲେ ମାସ କେଇଟା ନ ପୂରୁଣୁ ଧୀରେ ଧୀରେ ଦେଖାଦେଲା ପୂର୍ବାବସ୍ଥା।
ଏକାଠି ଗୋଟିଏ ମଞ୍ଚରେ ଚଢ଼ିବା ଦୂରର କଥା, ପରସ୍ପରର ଛାଇ ପଡ଼ିଲେ ମଧ୍ୟ ନାହି ଡେଇଁଲା ଭଳି ସ୍ଥିତି। ଏ କଥା କାହାକୁ ବା ଅଛପା! ଜଣଙ୍କୁ ରାଜ୍ୟର ଏକ ପ୍ରଭାବଶାଳୀ ବିଭାଗର ମନ୍ତ୍ରୀ ପଦ ମିଳିଲା, ଆଉ ଜଣେ ଲୋକଙ୍କ ବଳରେ ସ୍ୱରର ପ୍ରତିରୋଧ ସାଜିଲେ।
ନିଜ ନିଜର ଇଗୋ ପଛରେ ବଳି ପଡ଼ିଲେ କି ଦକ୍ଷିଣ ଓଡ଼ିଶାବାସୀ? ଏହି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲା। ନୂଆ କରି ବିଧାନସଭାରେ ପାଦ ଥାପିଥିବା ମନ୍ତ୍ରୀ ଶାସନ ଗାଦି ଚଳାଇବାର ବାଟ ଖୋଜି ବ୍ୟସ୍ତ ଥିବାବେଳେ, ବର୍ଷ ବର୍ଷର ରାଜନୈତିକ ଅଭିଜ୍ଞତା ରଖିଥିବା ସାଂସଦ ନିଜର ଅସ୍ତ୍ର ପ୍ରୟୋଗ କରିବା ଆରମ୍ଭ କଲେ।
କିଛି ଦିନ ଧରି ଦଳରୁ କୋଣଠେସା ହେବା ଭଳି ଅନୁଭବ କରିବା ଏବଂ ଦକ୍ଷିଣ ଓଡ଼ିଶା ବିକାଶ କମିଟିରେ ଭାଗ ନେବାର ସୁଯୋଗ ନ ମିଳିବା ପରେ ‘ଭାଇନା’ଙ୍କ ମାଥା ଗରମ ହୋଇଗଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଲା।
ଲୋକଙ୍କୁ ଲେଖା ଛିଣ୍ଡାଇବାର ପ୍ରତିଶ୍ରୁତି ଦେଇ ସତ୍ତାକୁ ଆସିଥିବା ‘ଭାଇନା’ ଆରମ୍ଭ କରିଦେଲେ ଦଳପତିଙ୍କୁ ଚିଠି ଲେଖା। ବିଭିନ୍ନ ସଂଗଠନ ସହ ଆଲୋଚନା କରି, ଲୋକଙ୍କ ଗୋଟି ଗୋଟି ସମସ୍ୟାର ସ୍ୱର ସାଜିବା ସହ ନବଗଠିତ ସରକାରକୁ ମଧ୍ୟ ଆଡୁଆ ସୂତାରେ ବାନ୍ଧିବା ଭଳି ରାଜନୈତିକ ପଦକ୍ଷେପ ଆରମ୍ଭ କରିଦେଲେ।
ଏହାର ଫଳରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କ ପାଖକୁ ଯିବାକୁ ପ୍ରୟାସ କରି ବାହାବା ନେବାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀଙ୍କ ଗୋଡ଼ରେ ଯେମିତି କଣ୍ଟା ଫୋଡ଼ିଗଲା ଭଳି ଅନୁଭବ ହେଲା।
ନିକଟ ଅତୀତରେ ବ୍ରହ୍ମପୁର ଓଭରବ୍ରିଜ୍ର ମାନ ଓ କାମକୁ ନେଇ ବ୍ରହ୍ମପୁର ସାଂସଦ ସ୍ୱର ଉଠାଇବା ଖବର ସରକାରଙ୍କୁ ବଡ଼ ଅକଳରେ ପକାଇଦେଲା ବୋଲି ଚର୍ଚ୍ଚା ହେଲା। ଏହାରି ଭିତରେ ବ୍ରହ୍ମପୁର ସାଂସଦଙ୍କ ବାଟ ଆପଣାଇଥିଲେ ନିଜ ଦଳର ନବରଙ୍ଗପୁର ଓ ବଲାଙ୍ଗୀର ସାଂସଦ।
ଦଳୀୟ ପାଣି ଗୋଳିଆ ହେବାକୁ ଯାଉଥିବାର ଖବର ଦିଲ୍ଲୀ ଦରବାରରେ ପହଞ୍ଚିବା ପରେ କୁଆଡ଼େ ଦୂରଭାଷ କଲ୍ରେ ‘ମାନ୍ୟବର’ଙ୍କୁ ତାଗିଦ୍ ପଡ଼ିଲା ବୋଲି କିଛି ପ୍ରମୁଖ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ଜୋର ଧରିଲା। ତେବେ ଏହି ଚର୍ଚ୍ଚାର ସତ୍ୟତା ନେଇ ସ୍ୱତନ୍ତ୍ର ଭାବେ କୌଣସି ନିଶ୍ଚିତ ସୂଚନା ସାମ୍ନାକୁ ଆସିନାହିଁ।
ହେଲେ ଏହାର ପ୍ରତିଫଳନ ଦେଖିବାକୁ ମିଳିଲା ପବିତ୍ର ଗଣେଶ ପୂଜାରେ—ଏମିତି ଚର୍ଚ୍ଚା ଏବେ ରାଜନୈତିକ ମହଲରେ।
ପ୍ରସିଦ୍ଧ ପଞ୍ଚମା ମନ୍ଦିରରେ ଦୀର୍ଘ ଦିନର ବ୍ୟବଧାନ ପରେ ଦେଖିବାକୁ ମିଳିଲା ଏକ ବିରଳ ଦୃଶ୍ୟ। ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଆସିବା ପୂର୍ବରୁ ମନ୍ଦିରରେ ପହଞ୍ଚି ଯାଇଥିଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମେତ ଚିକିଟି, ଛତ୍ରପୁର ଓ ଖଲ୍ଲିକୋଟ ବିଧାୟକ।
ବ୍ରହ୍ମପୁର ସାଂସଦ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ କୋଳେଇ ନେଲେ, ପାଛୋଟି ନେଇ ଗଜାନନଙ୍କ ଦର୍ଶନ କରାଇଲେ। ଏହାପରେ ମିଠା ଖୁଆଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଲା।
ଏହି ପୁଣିଥରେ ହାତ ଧରା ଧରୀ ଦୃଶ୍ୟ ସାମ୍ନାକୁ ଆସିବା ପରେ ଏବେ ରାଜନୈତିକ ମହଲରେ ଗୋଟିଏ ଚର୍ଚ୍ଚା—ଫାଟରେ ପଡ଼ିଲା କି ପେଚ୍? ନା ଏହା କେବଳ ଗଣେଶ ପୂଜାର ଶୁଭ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ସୌହାର୍ଦ୍ଦର ଏକ ସାଧାରଣ ଦୃଶ୍ୟ?
ଯାହା ବି ହେଉ, ଦୀର୍ଘ ଦିନର ରାଜନୈତିକ ଦୂରତା ପରେ ଏହି କୋଳାକୋଳି, ପାଛୋଟି ନେବା ଓ ମିଠା ଖୁଆଇବା ଦୃଶ୍ୟ ଗଞ୍ଜାମ ରାଜନୀତିରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ତେବେ ଏହା ସମ୍ପର୍କରେ ସତରେ ‘ପେଚ୍’ ପଡ଼ିଲା କି, ନା ରାଜନୀତିର ମଞ୍ଚରେ ଏହା ଆଉ ଏକ ନୂଆ ଅଧ୍ୟାୟର ଆରମ୍ଭ—ସମୟ ହିଁ ଦେବ ଏହାର ଉତ୍ତର।












