ଭୁବନେଶ୍ୱର, ୧୯/୦୮: ଏଣିକି ରାଜସ୍ୱ ବିଭାଗର ବିଭିନ୍ନ କାମ ପାଇଁ ବାରମ୍ବାର ତହସିଲ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ମୋବାଇଲ୍ ମାଧ୍ୟମରେ ମିଳିପାରିବ ଅନେକ ଜରୁରୀ ରାଜସ୍ୱ ସେବା। ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ‘ଆମ ସାଥୀ ହ୍ୱାଟସଆପ୍ ଚାଟବଟ୍’ର ଶୁଭାରମ୍ଭ କରାଯାଇଛି। ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଶୁଭାରମ୍ଭ କରିଛନ୍ତି।
ଏହି ନୂଆ ବ୍ୟବସ୍ଥା ଜରିଆରେ ଲୋକମାନେ ଘରେ ବସି ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଭଳି ଜରୁରୀ ଦସ୍ତାବିଜ ପାଇଁ ଆବେଦନ କରିପାରିବେ। ଏହାସହ ଜମିର କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ ଓ ସୋସାଇଟି ରେଜିଷ୍ଟ୍ରେସନ୍ ଭଳି ସେବା ମଧ୍ୟ ଉପଲବ୍ଧ ହେବ।
ରାଜସ୍ୱ ବିଭାଗର ମୋଟ ୧୬ଟି ସେବା ଏହି ଡିଜିଟାଲ୍ ବ୍ୟବସ୍ଥାରେ ସାମିଲ ହୋଇଛି। ପରବର୍ତ୍ତୀ ସମୟରେ ଆଉ ଦୁଇଟି ସେବା ଏଥିରେ ଯୋଡ଼ାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ପୂର୍ବରୁ ୧୧ଟି ସେବା ଉପଲବ୍ଧ ଥିବାବେଳେ ଏବେ ଏହାକୁ ଆହୁରି ବ୍ୟାପକ କରାଯାଇଛି।
‘ଆମ ସାଥୀ’ ଚାଟବଟ୍ର ଆଉ ଏକ ବଡ଼ ସୁବିଧା ହେଉଛି ଆବେଦନର ସ୍ଥିତି ଜାଣିବା। ଜଣେ ଆବେଦନକାରୀ ତହସିଲ ଅଫିସକୁ ନଯାଇ ନିଜ ମୋବାଇଲରୁ ଆବେଦନ କେଉଁ ସ୍ଥିତିରେ ଅଛି, ତାହା ଜାଣିପାରିବେ। ଏଥିସହ ଅଭିଯୋଗ ଥିଲେ ମଧ୍ୟ ହ୍ୱାଟସଆପ୍ ଚାଟବଟ୍ ମାଧ୍ୟମରେ ଜଣାଇପାରିବେ। ଆବଶ୍ୟକ ସ୍ଥଳରେ ୯୪୩୭୨୯୨୦୦୦ ନମ୍ବରରେ ମଧ୍ୟ ଅଭିଯୋଗ କରିହେବ।
ରାଜ୍ୟରେ ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ହ୍ୱାଟସଆପ୍ ବ୍ୟବହାର କରୁଥିବାରୁ ଏହି ବ୍ୟବସ୍ଥା ଅଧିକ ସହଜ ଓ ଲୋକାଭିମୁଖୀ ହେବ ବୋଲି ଆଶା କରାଯାଉଛି। ଭୂଲେଖରେ ପଟ୍ଟା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ପାଇବାର ସୁବିଧା ରହିବ।
ସରକାରୀ ସେବାକୁ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଲୋକଙ୍କ ସମୟ ବଞ୍ଚାଇବା ସହ ଅଫିସ୍ ଦୌଡ଼ଝାପ୍ କମାଇବାରେ ଏହି ଡିଜିଟାଲ୍ ବ୍ୟବସ୍ଥା ସହାୟକ ହେବ। ସରକାର ଲୋକଙ୍କ ସୁବିଧା ଅନୁଯାୟୀ ସେବା ଯୋଗାଇବାକୁ ସଂକଳ୍ପବଦ୍ଧ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।














