ଭୁବନେଶ୍ୱର, ୨/୯: ରାଜ୍ୟର ଗାଡ଼ି ମାଲିକ ଓ ଚାଳକଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ଲାଗୁଥିବା ଜରିମାନା ରାଶିକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି। ୨୦୧୯ ମସିହାରୁ ପ୍ରଦୂଷଣ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଅଧିକ ଜରିମାନା ଲାଗୁ ହେଉଥିଲା। ପୂର୍ବରୁ ଏହି ଜରିମାନା ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଥିବାବେଳେ, ଏବେ ଗାଡ଼ିର ପ୍ରକାର ଓ ନିୟମ ଭଙ୍ଗର ସଂଖ୍ୟା ଅନୁସାରେ ଏହାକୁ ୧ ହଜାରରୁ ୬ ହଜାର ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି।ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏନେଇ ସୂଚନା ଦେଇଛନ୍ତି। ତେବେ ନୂଆ ନିୟମ ସହ ଗାଡ଼ି ମାଲିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ମଧ୍ୟ ରହିଛି। ଯଦି କୌଣସି ଗାଡ଼ିର ୯୦ ଦିନରୁ ଅଧିକ ସମୟର ଇ-ଚାଲାଣ ବକେୟା ରହିଥାଏ, ତେବେ ସେହି ଗାଡ଼ିର PUCC କରାଯାଇପାରିବ ନାହିଁ।
ନୂଆ ଜରିମାନା ହାର ଏପରି—
ମୋଟର ସାଇକେଲ: ପ୍ରଥମ ଥର ୧,୦୦୦ ଟଙ୍କା, ଦ୍ୱିତୀୟ ଥର ୨,୦୦୦ ଟଙ୍କା।
ତିନି ଚକିଆ ଯାନ (ଯାତ୍ରୀବାହୀ/ମାଲ ପରିବହନ): ପ୍ରଥମ ଥର ୧,୦୦୦ ଟଙ୍କା, ଦ୍ୱିତୀୟ ଥର ୨,୦୦୦ ଟଙ୍କା।
ମୋଟର କ୍ୟାବ: ପ୍ରଥମ ଥର ୨,୦୦୦ ଟଙ୍କା, ଦ୍ୱିତୀୟ ଥର ୫,୦୦୦ ଟଙ୍କା।
ମୋଟର କାର ଓ ଜିପ୍: ପ୍ରଥମ ଥର ୨,୦୦୦ ଟଙ୍କା, ଦ୍ୱିତୀୟ ଥର ୫,୦୦୦ ଟଙ୍କା।
ଟ୍ରାକ୍ଟର ଓ ଟ୍ରେଲର: ପ୍ରଥମ ଥର ୨,୦୦୦ ଟଙ୍କା, ଦ୍ୱିତୀୟ ଥର ୫,୦୦୦ ଟଙ୍କା।
ଅନ୍ୟାନ୍ୟ ଯାନ: ପ୍ରଥମ ଥର ୩,୦୦୦ ଟଙ୍କା, ଦ୍ୱିତୀୟ ଥର ୬,୦୦୦ ଟଙ୍କା।
ସରକାରଙ୍କ ଏହି ନୂଆ ନିଷ୍ପତ୍ତି ଫଳରେ ଗାଡ଼ି ମାଲିକମାନେ ଆର୍ଥିକ ଭାବେ କିଛିଟା ଆଶ୍ୱସ୍ତି ପାଇବେ। ତେବେ ଗାଡ଼ିର ବୈଧ PUCC ରଖିବା ସହ ଇ-ଚାଲାଣ ବକେୟା ନ ରଖିବାକୁ ମଧ୍ୟ ଗାଡ଼ି ମାଲିକଙ୍କୁ ସତର୍କ ରହିବାକୁ ପଡ଼ିବ।














