ବ୍ରହ୍ମପୁର: ଦୀର୍ଘ ୧୦ ମାସର ପ୍ରତୀକ୍ଷାର ଅନ୍ତ। ଶେଷରେ ଜେଲରୁ ମୁକୁଳିଛନ୍ତି ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା। ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିବା ପରେ ତାଙ୍କୁ ଦେଖିବା ଓ ସ୍ୱାଗତ କରିବା ପାଇଁ ଜେଲ ସମ୍ମୁଖରେ ଜମିଥିଲା ହଜାର ହଜାର ସମର୍ଥକଙ୍କ ଭିଡ଼।ପୁଷ୍ପବୃଷ୍ଟି, ସ୍ଲୋଗାନ ଓ ସମର୍ଥକଙ୍କ ଉତ୍ସାହ ମଧ୍ୟରେ ବିକ୍ରମ ପଣ୍ଡାଙ୍କୁ ସ୍ୱାଗତ କରାଯାଇଥିଲା। ଦୀର୍ଘ ଦିନ ପରେ ନିଜ ନେତାଙ୍କୁ ଜେଲରୁ ବାହାରିଥିବା ଦେଖି ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହେବା ପରେ ବିକ୍ରମ ପଣ୍ଡା ପ୍ରାୟ ୧୦ ମାସ ଧରି ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଥିଲେ। ହାଇକୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିବା ପରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷ ହୋଇଥିଲା। ଏହାପରେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳିଥିଲେ। ବିକ୍ରମଙ୍କ ମୁକ୍ତି ଖବର ପୂର୍ବରୁ ହିଁ ତାଙ୍କ ସମର୍ଥକ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା। ଜେଲ ବାହାରେ ଦୀର୍ଘ ସମୟ ଧରି କର୍ମୀମାନେ ଅପେକ୍ଷା କରିଥିଲେ। ଶେଷରେ ବିକ୍ରମ ପଣ୍ଡା ଜେଲରୁ ବାହାରିବା ମାତ୍ରେ ସମର୍ଥକମାନେ ପୁଷ୍ପବୃଷ୍ଟି କରି ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ।ଏହି ସ୍ୱାଗତ କାର୍ଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ମନ୍ମଥ ରାଉତରାୟ, ଚିନ୍ମୟ ସାହୁ, ପ୍ରତାପ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ସମେତ ଗଞ୍ଜାମ ଜିଲା ଓ ବ୍ରହ୍ମପୁରର ବହୁ ନେତା ଏବଂ କର୍ମୀ ସାମିଲ ହୋଇଥିଲେ।ଜେଲରୁ ବାହାରିବା ପରେ ବିକ୍ରମ ପଣ୍ଡାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଗଜପତି ନଗରସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ଶୋଭାଯାତ୍ରାରେ ବିପୁଳ ସଂଖ୍ୟାରେ ସମର୍ଥକ ସାମିଲ ହୋଇଥିଲେ। ସହରର ବିଭିନ୍ନ ସ୍ଥାନରେ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଭବ୍ୟ ଶୋଭାଯାତ୍ରା ବ୍ରହ୍ମପୁରର ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ଦୀର୍ଘ ୧୦ ମାସର ପ୍ରତୀକ୍ଷାର ଅନ୍ତ
ବିକ୍ରମ ପଣ୍ଡାଙ୍କ ଘରକୁ ଫେରିବା ପରେ ପରିବାର ମଧ୍ୟରେ ଭାବବିହ୍ୱଳ ପରିବେଶ ଦେଖିବାକୁ ମିଳିଥିଲା। ତାଙ୍କ ମା’ କହିଛନ୍ତି ଯେ, ଦୀର୍ଘ ୧୦ ମାସ ଧରି ପରିବାର ଏହି ଦିନକୁ ଅପେକ୍ଷା କରିଥିଲା। ଆଜି ପୁଅ ଘରକୁ ଫେରିଥିବାରୁ ପରିବାରର ଖୁସି କହିଲେ ନ ସରେ।
ବିକ୍ରମଙ୍କ ବାପା ମଧ୍ୟ ନ୍ୟାୟପାଳିକା ଉପରେ ତାଙ୍କର ଦୃଢ଼ ବିଶ୍ୱାସ ଥିବା କହିଛନ୍ତି। ସେ ତାଙ୍କ ପୁଅଙ୍କୁ ବିନା ଦୋଷରେ ଜେଲ ପଠାଯାଇଥିବା ଦାବି କରିଛନ୍ତି।
‘ମୁଁ ନିର୍ଦ୍ଦୋଷ, ହତ୍ୟାକାଣ୍ଡରେ ମୋର ସମ୍ପୃକ୍ତି ନାହିଁ’
ଜେଲରୁ ବାହାରିବା ପରେ ବିକ୍ରମ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ନିର୍ଦ୍ଦୋଷ ଏବଂ ପୀତବାସ ପଣ୍ଡା ହତ୍ୟାକାଣ୍ଡ ସହ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ନ୍ୟାୟପାଳିକା ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ଆଗକୁ ମଧ୍ୟ ସେ ନ୍ୟାୟ ପାଇବେ ବୋଲି ଆଶା ପ୍ରକାଶ କରିଛନ୍ତି।ଏଥିସହ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଜାଣିଶୁଣି ଜେଲ ପଠାଯାଇଥିବା ନେଇ ବିକ୍ରମ ପଣ୍ଡା ଅଭିଯୋଗ କରିଛନ୍ତି। ସେ ନିଜ ଦଳୀୟ ନେତୃତ୍ୱ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ସମର୍ଥକଙ୍କ ଭଲପାଇବା ପାଇଁ କୃତଜ୍ଞତା ଜଣାଇଛନ୍ତି। ତେବେ ମାମଲାର ଆଇନଗତ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି। ଜାମିନରେ ଜେଲରୁ ବାହାରିବା ପରେ ବିକ୍ରମ ପଣ୍ଡାଙ୍କୁ ମିଳିଥିବା ଏହି ଭବ୍ୟ ସ୍ୱାଗତ ଏବେ ବ୍ରହ୍ମପୁର ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି।
ବିଭୁତି କହିଲେ ମୁହଁକୁ ଲାଜ ଲାଗୁନି!












