ମୋହନା: ଦୀର୍ଘ ୨୭ ମାସ ଧରି ପାରିଶ୍ରମିକ ପାଇବାକୁ ଅପେକ୍ଷା କରିଥିଲେ ଆଞ୍ଚଳିକ ମଞ୍ଚ (ଇସି) ସଦସ୍ୟାମାନେ। ଶେଷରେ ବକେୟା ପାରିଶ୍ରମିକ ଆକାଉଣ୍ଟକୁ ଆସିବା ପରେ ପୁଣି ସେଥିରୁ ଲକ୍ଷାଧିକ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ଏବେ ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।
ଅଭିଯୋଗ ଅନୁସାରେ, ମହେନ୍ଦ୍ରଗଡ଼ ଓ ରଣ୍ଡିବା ପଞ୍ଚାୟତର ବିଭିନ୍ନ ଗାଁରେ କାର୍ଯ୍ୟରତ ଇସି ମେମ୍ବରମାନେ ପ୍ରାୟ ୨୭ ମାସ ଧରି ପାରିଶ୍ରମିକ ପାଇନଥିଲେ। ଗତ ୧୩ ତାରିଖରେ ବକେୟା ପାରିଶ୍ରମିକ ବାବଦରେ ପ୍ରତ୍ୟେକ ସଦସ୍ୟାଙ୍କ ଆକାଉଣ୍ଟକୁ ୪୦ ହଜାର ୫୦୦ ଟଙ୍କା ଲେଖାଏଁ ଜମା ହୋଇଥିଲା।
ତେବେ ଟଙ୍କା ଜମା ହେବା ପରେ କେତେକ ଇସି ସଦସ୍ୟାଙ୍କଠାରୁ ପୁଣି ଟଙ୍କା ନିଆଯାଇଥିବା ଅଭିଯୋଗ ଉଠିଛି। ମହେନ୍ଦ୍ରଗଡ଼ ପଞ୍ଚାୟତର କେତେକ ସଦସ୍ୟାଙ୍କଠାରୁ ସିଆରପିଙ୍କ ଜରିଆରେ ଟଙ୍କା ସଂଗ୍ରହ କରାଯାଇଥିବା କୁହାଯାଇଛି।
କୁର୍ତ୍ତଲ ଗାଁର ଇସି ସଦସ୍ୟା ଜୟନ୍ତୀ ବଡ଼ରଇତ ଏବଂ ଡେରେବା ଗାଁର ସୁବର୍ଣ୍ଣୀ ପାଇକଙ୍କଠାରୁ ଜଣଙ୍କ ପିଛା ୨୭ ହଜାର ଟଙ୍କା ଲେଖାଏଁ ମୋଟ ୫୪ ହଜାର ଟଙ୍କା ନିଆଯାଇଥିବା ଅଭିଯୋଗ ରହିଛି। ଏହାବ୍ୟତୀତ ମହେନ୍ଦ୍ରଗଡ଼ ପଞ୍ଚାୟତର ପ୍ରାୟ ୨୪ ଜଣ ଇସି ସଦସ୍ୟାଙ୍କଠାରୁ ମଧ୍ୟ ଟଙ୍କା ଆଦାୟ କରାଯାଇଥିବା ଦାବି ହୋଇଛି।
ସେହିପରି ରଣ୍ଡିବା ପଞ୍ଚାୟତରେ ମଧ୍ୟ ସମାନ ଅଭିଯୋଗ ସାମ୍ନାକୁ ଆସିଛି। ସେଠାରେ ପ୍ରାୟ ୧୭ ଜଣ ଇସି ମେମ୍ବରଙ୍କଠାରୁ ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି।
ତେବେ ଏହି ଘଟଣାକୁ ନେଇ ବ୍ଲକ୍ ଜୀବିକା ମିଶନର ବିପିଏମ୍ କହିଛନ୍ତି ଯେ, ଜଣେ ସଦସ୍ୟାଙ୍କଠାରୁ ନିୟମ ଅନୁଯାୟୀ ଟଙ୍କା ଫେରସ୍ତ ନିଆଯାଇଛି। କିନ୍ତୁ ଅନ୍ୟ ସଦସ୍ୟାଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗ ସମ୍ପର୍କରେ ସେ ଅବଗତ ନଥିବା କହିଛନ୍ତି।
ଅନ୍ୟପକ୍ଷରେ ବ୍ଲକ୍ ଅଧ୍ୟକ୍ଷ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଯଦି ତଦନ୍ତରେ କେହି ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ତେବେ ଅଭିଯୋଗର ସତ୍ୟତା କେତେ, ପ୍ରକୃତରେ କେତେ ଟଙ୍କା ଆଦାୟ ହୋଇଛି ଏବଂ କାହାର ସମ୍ପୃକ୍ତି ରହିଛି, ତାହା ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।














