ଜୟପୁର: ଡିଜିଟାଲ୍ ଯୁଗରେ AI ଏବେ ଯେତିକି ସୁବିଧା ଆଣିଛି, ତାହାର ଅପବ୍ୟବହାର ସେତିକି ବଡ଼ ସମସ୍ୟା ମଧ୍ୟ ସୃଷ୍ଟି କରୁଛି। ଏଆଇ ଜରିଆରେ ପ୍ରସ୍ତୁତ ଏକ ନକଲି କୁମ୍ଭୀର ଫଟୋ କିପରି ଗୋଟିଏ ଅଞ୍ଚଳରେ ଭୟ ଓ ଆତଙ୍କ ଖେଳାଇପାରେ, ତାହାର ଏକ ଚର୍ଚ୍ଚିତ ଘଟଣା କୋରାପୁଟ ଜିଲ୍ଲାରୁ ସାମ୍ନାକୁ ଆସିଛି।ଜୟପୁର ବ୍ଲକ୍ର ଜୟନ୍ତଗିରି ପଞ୍ଚାୟତ ଅନ୍ତର୍ଗତ ବଡ଼ପଡ଼ା ନଦୀରେ ଏକ ୧୦ ଫୁଟିଆ ବିଶାଳ କୁମ୍ଭୀର ବୁଲୁଥିବା ଦାବି କରି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଇଥିଲା। ଦେଖୁ ଦେଖୁ ଏହି ଫଟୋ ଚାରିଆଡ଼େ ପହଞ୍ଚିଯାଇଥିଲା। ଆଉ ନଦୀକୂଳରେ ରହୁଥିବା ଲୋକଙ୍କ ମନରେ ସୃଷ୍ଟି ହୋଇଥିଲା ଭୟର ବାତାବରଣ।ନଦୀକୁ ଗାଧୋଇବାକୁ ଯିବେ କି ନାହିଁ? ମାଛ ଧରିବା ସୁରକ୍ଷିତ କି ନୁହେଁ? ସତରେ କ’ଣ ନଦୀରେ ଘୁରି ବୁଲୁଛି ବିଶାଳକାୟ କୁମ୍ଭୀର? ଏଭଳି ଅନେକ ପ୍ରଶ୍ନ ସ୍ଥାନୀୟ ଲୋକଙ୍କ ମନରେ ଉଠିଥିଲା।ଖବର ପାଇବା ପରେ ବୋରିଗୁମ୍ମା ବନ ବିଭାଗ ତୁରନ୍ତ ତତ୍ପର ହୋଇଥିଲା। ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଖୋଜାଖୋଜି ଓ ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ତଦନ୍ତ ପରେ ସାମ୍ନାକୁ ଆସିଥିଲା ଚମକାଇଦେବା ଭଳି ସତ୍ୟ।ନଦୀରେ ଆଦୌ କୌଣସି କୁମ୍ଭୀର ନଥିଲା। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଫଟୋଟି ଥିଲା AI ଜରିଆରେ ପ୍ରସ୍ତୁତ ଏକ ନକଲି ଫଟୋ। ଅର୍ଥାତ୍ ଗୋଟିଏ ଏଆଇ ଫଟୋ ଲୋକଙ୍କ ମନରେ ସତ ଘଟଣା ଭଳି ଭୟ ସୃଷ୍ଟି କରିଥିଲା।ଏହି ଘଟଣାରେ ମିଥ୍ୟା ସୂଚନା ପ୍ରସାର କରି ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ବନ ବିଭାଗ ବଡ଼ପଡ଼ା ଗାଁର ଦୁଇ ଭାଇଙ୍କୁ ଗିରଫ କରିଥିବା ସୂଚନା ମିଳିଛି।ଏହି ଘଟଣା ପୁଣିଥରେ ଗୋଟିଏ ବଡ଼ ପ୍ରଶ୍ନ ଉଠାଇଛି—AI ଫଟୋ କିମ୍ବା ଭିଡିଓ ଦେଖିବା ମାତ୍ରେ କ’ଣ ଆମେ ତାହାକୁ ସତ ବୋଲି ବିଶ୍ୱାସ କରିଦେବା?ଆଜିକାଲି AI ଏତେ ଉନ୍ନତ ହୋଇଛି ଯେ ଅନେକ ସମୟରେ ସତ ଓ ନକଲି ମଧ୍ୟରେ ଫରକ କରିବା ସହଜ ହେଉନାହିଁ। ତେଣୁ ସୋସିଆଲ ମିଡିଆରେ କୌଣସି ଚମକପ୍ରଦ ଫଟୋ କିମ୍ବା ଭିଡିଓ ଦେଖିଲେ ତୁରନ୍ତ ସେୟାର କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବା ଜରୁରୀ। ଗୋଟିଏ ନକଲି AI ଫଟୋ… ଆଉ ସାରା ଅଞ୍ଚଳରେ କୁମ୍ଭୀର ଆତଙ୍କ! ଶେଷରେ ତଦନ୍ତରେ ଖୋଲିଗଲା ମିଛର ଗୁମର। ଏହି ଘଟଣା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଏକ ବଡ଼ ସତର୍କବାଣୀ ହୋଇ ରହିଛି। AIର ସଠିକ୍ ବ୍ୟବହାର ଆମ ପାଇଁ ସୁବିଧା, କିନ୍ତୁ ଏହାର ଅପବ୍ୟବହାର ହୋଇପାରେ ଭୟ, ଭ୍ରମ ଓ ଆଇନଗତ ସମସ୍ୟାର କାରଣ।














