ବାଂଶପାଳ, ୦୫/୧୦:
“ଆମେ ଗରିବ ଲୋକ… ଆମ କଥା କିଏ ଶୁଣିବ?” ଏହି କେଇପଦ କଥା ଭିତରେ ଲୁଚିଛି ଏକ ଅସହାୟ ପରିବାରର ଦୁଃଖ ଓ ଯନ୍ତ୍ରଣା। ଲଗାଣ ବର୍ଷା ଓ ବାତ୍ୟା ଛଡ଼ାଇ ନେଇଛି ମୁଣ୍ଡ ଗୁଞ୍ଜିବାର ଶେଷ ଆଶ୍ରୟ। ଘର ଭାଙ୍ଗିଯିବା ପରେ ଏବେ ପୋଲ ତଳେ ଜୀବନ କାଟୁଛନ୍ତି ବୃଦ୍ଧ ବିକଳାଙ୍ଗ ଦମ୍ପତି। ଆଉ ପୁଅ-ବୋହୂଙ୍କ ଭରସା ପାଲଟିଛି ଗଛ ଉପରେ ବନ୍ଧା ମଞ୍ଚା।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ତଳଚମ୍ପେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଳିଆଡାଳ ଗ୍ରାମର ଏହି ଦୃଶ୍ୟ ଯେକୌଣସି ମଣିଷର ମନକୁ ବ୍ୟଥିତ କରିବ। ଗାଁର ୬୫ ବର୍ଷୀୟ ସୁନାରାମ ମୁଣ୍ଡା ଓ ତାଙ୍କ ୫୫ ବର୍ଷୀୟ ସ୍ତ୍ରୀ ମୁଣ୍ଡୁରୀ ମୁଣ୍ଡା ଦୁହେଁ ବିକଳାଙ୍ଗ। ଦିନେ ଯେଉଁ ଘରଟି ତାଙ୍କ ପରିବାରକୁ ଆଶ୍ରୟ ଦେଉଥିଲା, ବର୍ଷା ଓ ବାତ୍ୟାରେ ତାହା ଏବେ ଭାଙ୍ଗି ଯାଇଛି।
ଘରର ପଛପଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିବା ପରେ ପରିବାର ପାଇଁ ଆଉ ରହିବା ଭଳି ସୁରକ୍ଷିତ ସ୍ଥାନ ନାହିଁ। ତେଣୁ ବାଧ୍ୟ ହୋଇ ସୁନାରାମ ଓ ମୁଣ୍ଡୁରୀ ଏବେ କଲଭର୍ଟ ହ୍ୟୁମ୍ ପାଇପ୍ ତଳକୁ ନିଜର ଆଶ୍ରୟ କରିଛନ୍ତି।
🌧️ ବର୍ଷା ହେଲେ ପୋଲ ତଳେ ଆଶ୍ରୟ, ଅନ୍ଧାର ହେଲେ ସେଇଠି ଶୋଇବା — ଏହିଭଳି ଦିନ କାଟୁଛି ଦମ୍ପତିଙ୍କର। ଦିନବେଳେ ଗଛମୂଳେ ଚୁଲି ଜାଳି ରୋଷେଇ କରୁଛନ୍ତି। ନା ଅଛି ଘରର ଛାତ, ନା ଅଛି ଆସନ୍ତାକାଲି ପାଇଁ ନିଶ୍ଚିତତା। ବୟସର ଅପରାହ୍ଣରେ ଦୁଇ ବିକଳାଙ୍ଗ ବୃଦ୍ଧଙ୍କ ଏଭଳି ଜୀବନ ସତରେ ଅତ୍ୟନ୍ତ ଦୁଃଖଦ।
କେବଳ ବୃଦ୍ଧ ଦମ୍ପତି ନୁହନ୍ତି, ସମାନ ଦୁର୍ଦ୍ଦଶାରେ ଅଛନ୍ତି ତାଙ୍କ ପୁଅ ରଂଜିତ ମୁଣ୍ଡା ଓ ବୋହୂ। ଘର ନଥିବାରୁ ସେମାନେ ଗଛ ଉପରେ ମଞ୍ଚା ବାନ୍ଧି ରହୁଛନ୍ତି। ରାତି ହେଲେ ଗଛ ଉପରେ ମଞ୍ଚା ହିଁ ପରିବାରର ଏକମାତ୍ର ଆଶ୍ରୟ।
💔 ଗୋଟିଏ ପରିବାର… ଦୁଇଟି ଆଶ୍ରୟ… ହେଲେ ଦୁହିଁଟି ଅସୁରକ୍ଷିତ।
ବୃଦ୍ଧ ବାପା-ମା’ ପୋଲ ତଳେ ରହୁଛନ୍ତି, ପୁଅ-ବୋହୂ ଗଛ ଉପରେ। ଏଭଳି ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛି ପୂରା ପରିବାରର। ଲଗାଣ ବର୍ଷା ମୁଣ୍ଡ ଉପରୁ ଛାତ ଛଡ଼ାଇ ନେବା ପରେ ଏବେ ସେମାନଙ୍କ ଆଖିରେ କେବଳ ସରକାରୀ ସହାୟତାର ଆଶା।
ସ୍ଥାନୀୟ ଲୋକେ ଏହି ପରିବାରର ଦୁର୍ଦ୍ଦଶା ପ୍ରତି ପ୍ରଶାସନର ତୁରନ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି। ବୃଦ୍ଧ ବିକଳାଙ୍ଗ ଦମ୍ପତିଙ୍କୁ ତୁରନ୍ତ ନିରାପଦ ଆଶ୍ରୟ ଦେବା ସହ ଆବାସ ଯୋଜନାରେ ଘର ଏବଂ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ପ୍ରଶାସନର ହସ୍ତକ୍ଷେପ ହେଲେ ହୁଏତ ପୁଣି ଏହି ପରିବାର ମୁଣ୍ଡ ଉପରେ ଛାତ ଓ ଜୀବନରେ ଆଶା ଫେରିପାଇବ।














