ଅଡବା ଛକରେ ଘରୋଇ ଯାତ୍ରୀବାହୀ ବସ୍ରୁ ୭ କାର୍ଟୁନ ଗୁଟଖା ଜବତ
ଗଜପତି ଜିଲ୍ଲାରେ ଅବୈଧ ଗୁଟଖା ପରିବହନ ଉପରେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ
ମୋହନା, ୨୩/୦୮: ଗଜପତି ଜିଲ୍ଲାରେ ଅବୈଧ ଭାବେ ଗୁଟଖା ପରିବହନ ବୃଦ୍ଧି ପାଉଥିବା ପୋଲିସ ଜାଣିବା ପରେ ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଗତକିଛି ଦିନ ତଳେ ଏକ ଟ୍ରକ୍ ରୁ ବିପୁଳ ପରିମାଣର ଗୁଟଖା ଜବତ ଅଡବା ପୋଲିସ ଜବତ କରିଥିବା ବେଳେ ପୁଣି ଥରେ ଗତକାଲି ଅର୍ଥାତ୍ ଶନିବାର ସଂଧ୍ୟା ରେ ଏକ ଯାତ୍ରୀବାହୀ ବସ୍ ରୁ ସାତଟି କାର୍ଟୁନ୍ ଭରା ଗୁଟଖା କୁ ଜବତ କରିଥିବା ପୋଲିସ ପକ୍ଷରୁ ଆଜି ସୂଚନା ମିଳିଛି । ପୋଲିସ ସୂଚନା ପ୍ରକାରେ ଅଡବା ଛକ ଠାରେ ଯାନବାହନ ଯାଞ୍ଚ ସମୟରେ କାମଧେନୁ ନାମକ ଯାତ୍ରୀବାହୀ ବସ୍ରୁ ୭ଟି କାର୍ଟୁନ ଗୁଟଖା ଜବତ କରାଯାଇଛି। ଜବତ ଗୁଟଖାର ପରିବହନ ସମ୍ପର୍କରେ ସନ୍ତୋଷଜନକ କାଗଜପତ୍ର ନଥିବାରୁ ପୁଲିସ ନିୟମାନୁଯାୟୀ ସମଗ୍ର ଗୁଟଖାକୁ ଜବତ କରିଛି। ବ୍ରହ୍ମପୁରରୁ ଉମରକୋଟ ଅଭିମୁଖେ ଯାଉଥିବା ଏହି କାମଧେନୁ ବସ୍କୁ ପୁଲିସ ଅଟକାଇ ଯାଞ୍ଚ କରିବା ରେ ବସ୍ ଭିତରୁ ସନ୍ଦେହଜନକ ଭାବେ ରଖାଯାଇଥିବା ୭ଟି କାର୍ଟୁନ ବକ୍ସ ଠାବ ହୋଇଥିଲା।
ପୋଲିସ ଉପସ୍ଥିତିରେ କାର୍ଟୁନଗୁଡ଼ିକୁ ଯାଞ୍ଚ କରାଯିବା ପରେ ପ୍ରତ୍ୟେକ କାର୍ଟୁନରେ ୩ଟି ଲେଖାଏଁ ବ୍ୟାଗ୍ ଥିବା ଜଣାପଡ଼ିଥିଲା। ସେହି ବ୍ୟାଗ୍ଗୁଡ଼ିକରେ ‘ମାଲା ମାଲ’ ଗୁଟଖାର ପାଉଚ୍ ରହିଥିଲା। ମୋଟ ୭ଟି କାର୍ଟୁନରେ ୨୧ଟି ବ୍ୟାଗ୍ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଗୁଟଖା ପରିବହନ ସମ୍ପର୍କୀତ ଆବଶ୍ୟକୀୟ କାଗଜପତ୍ର ମିଳିନଥିବା ଯୋଗୁଁ ଜବତ କରିବା ସହ ବେଆଇନ ଗୁଟୁଖା ପରିବହନ ନେଇ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରଖିଥିଲା ପୋଲିସ। ତେବେ ଏତେ ପରିମାଣର ଗୁଟୁଖା କେଉଁଠି ଉତ୍ପାଦ ହେଉଛି ,
ଜବତ ଗୁଟଖା କେଉଁଠାରୁ ସଂଗ୍ରହ କରାଯାଇଥିଲା, ଏହାର ପ୍ରକୃତ ମାଲିକ କିଏ, କାହା ନିକଟକୁ ଏହା ପଠାଯାଉଥିଲା ଏବଂ ଏହାର ଗନ୍ତବ୍ୟସ୍ଥଳ କେଉଁଠାରେ ଥିଲା, ସେନେଇ ପୁଲିସ ତଦନ୍ତ ଚଳାଇଛି। ଏଥିସହିତ ଗୁଟଖା ପରିବହନ ପାଇଁ କୌଣସି ବୈଧ ଦଲିଲ ଥିଲା କି ନାହିଁ, ବସ୍ ମାଧ୍ୟମରେ ଏପରି ସାମଗ୍ରୀ ପରିବହନ ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଏହା କୌଣସି ବଡ଼ ଅବୈଧ ଗୁଟଖା ବ୍ୟବସାୟ ନେଟୱର୍କର ଅଂଶ କି ନୁହେଁ, ତାହା ମଧ୍ୟ ଯାଞ୍ଚ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଅଡବା ଥାନା ପୁଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଓ ଅନ୍ୟାନ୍ୟ ଅନୁମୋଦନ ବିହୀନ ତମାଖୁଜାତୀୟ ସାମଗ୍ରୀର ପରିବହନ ଓ ବ୍ୟବସାୟ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ମାମଲାର ତଦନ୍ତ ଜାରି ରହିଥିବାରୁ ଆଗକୁ ଏହି ଘଟଣାରେ ଆହୁରି ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।














