କାଗଜର ଝଞ୍ଜାଟକୁ ବିଦାୟ! ପେପରଲେସ୍ ହେବ ଜମି ଦଲିଲ, ବଦଳିବ ପଞ୍ଜୀକରଣର ପୂରା ଚିତ୍ର

Spread the love      ଭୁବନେଶ୍ୱର: ଆଉ ଜମି ଦଲିଲ ପଞ୍ଜୀକରଣ ପାଇଁ କାଗଜପତ୍ରର ବଡ଼ ବଣ୍ଡଲ ଧରି ଅଫିସ୍‌କୁ ଦୌଡ଼ିବାକୁ ପଡ଼ିବନି। ବଦଳିବ ଜମି ପଞ୍ଜୀକରଣର ପୁରୁଣା ଢାଞ୍ଚା। ରାଜ୍ୟରେ ଆସିପାରେ ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା। ଅର୍ଥାତ୍ କାଗଜ ବିହୀନ ଓ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରକ୍ରିୟାରେ ହୋଇପାରିବ ଜମି ଦଲିଲ ପଞ୍ଜୀକରଣ। ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକରଣ ଦଲିଲକୁ ମାତ୍ର ୪ ପୃଷ୍ଠାରେ ସୀମିତ ରଖିବାକୁ ଯୋଜନା ରହିଛି। ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ କାଗଜ ବିହୀନ ବ୍ୟବସ୍ଥା ଲାଗୁ…

Spread the love

ଭୁବନେଶ୍ୱର: ଆଉ ଜମି ଦଲିଲ ପଞ୍ଜୀକରଣ ପାଇଁ କାଗଜପତ୍ରର ବଡ଼ ବଣ୍ଡଲ ଧରି ଅଫିସ୍‌କୁ ଦୌଡ଼ିବାକୁ ପଡ଼ିବନି। ବଦଳିବ ଜମି ପଞ୍ଜୀକରଣର ପୁରୁଣା ଢାଞ୍ଚା। ରାଜ୍ୟରେ ଆସିପାରେ ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା। ଅର୍ଥାତ୍ କାଗଜ ବିହୀନ ଓ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରକ୍ରିୟାରେ ହୋଇପାରିବ ଜମି ଦଲିଲ ପଞ୍ଜୀକରଣ। ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକରଣ ଦଲିଲକୁ ମାତ୍ର ୪ ପୃଷ୍ଠାରେ ସୀମିତ ରଖିବାକୁ ଯୋଜନା ରହିଛି। ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ କାଗଜ ବିହୀନ ବ୍ୟବସ୍ଥା ଲାଗୁ କରିବା ଦିଗରେ କାମ ଚାଲିଛି। ଏଥିପାଇଁ ରାଜସ୍ୱ ବିଭାଗ ଦ୍ରୁତ ଗତିରେ ପ୍ରସ୍ତୁତି ଚଳାଇଛି। ଆବଶ୍ୟକ ଆଇନ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ମୋହର ମିଳିଲେ ରାଜ୍ୟର ଜମି ପଞ୍ଜୀକରଣ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ଲାଗୁ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି।

ରେଜିଷ୍ଟ୍ରେସନ୍ ଆକ୍ଟରେ ହେବ ବଡ଼ ସଂଶୋଧନ

ନୂଆ ବ୍ୟବସ୍ଥାକୁ ଆଇନଗତ ରୂପ ଦେବା ପାଇଁ ରେଜିଷ୍ଟ୍ରେସନ୍ ଆକ୍ଟ-୧୯୦୮ରେ ସଂଶୋଧନ ଆଣିବାକୁ ପ୍ରସ୍ତାବ ରହିଛି। ତଥ୍ୟ ଅନୁସାରେ, ଆଇନରେ ଥିବା ବର୍ତ୍ତମାନର ୮ଟି ଧାରାରେ ସଂଶୋଧନ କରାଯିବା ସହ ୯ଟି ନୂଆ ଧାରା ଯୋଡ଼ାଯିବାର ପ୍ରସ୍ତାବ ରହିଛି। ନୂଆ ବ୍ୟବସ୍ଥାରେ ଇ-ସିଗନେଚର, ଇ-ସିଲ୍ ଓ ଇ-ବୁକ୍ ପରି ଆଧୁନିକ ଡିଜିଟାଲ୍ ସୁବିଧାକୁ ସାମିଲ କରାଯିବ। ଏହି ଡିଜିଟାଲ୍ ବ୍ୟବସ୍ଥାକୁ ଆଇନଗତ ସ୍ୱୀକୃତି ମଧ୍ୟ ମିଳିବ। ଫଳରେ ଦଲିଲ ଉପସ୍ଥାପନଠାରୁ ଆରମ୍ଭ କରି ପଞ୍ଜୀକରଣ ପର୍ଯ୍ୟନ୍ତ ଅନେକ କାମ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସମ୍ଭବ ହୋଇପାରିବ।

ଆଧାରରେ ପରିଚୟ ଯାଞ୍ଚ, କିନ୍ତୁ ବାଧ୍ୟତାମୂଳକ ନୁହେଁ

ନୂଆ ପଞ୍ଜୀକରଣ ବ୍ୟବସ୍ଥାରେ ନାଗରିକଙ୍କ ସମ୍ମତି କ୍ରମେ ଆଧାର ମାଧ୍ୟମରେ ପରିଚୟ ଯାଞ୍ଚ କରାଯାଇପାରିବ। ତେବେ ଆଧାରକୁ ବାଧ୍ୟତାମୂଳକ କରାଯିବ ନାହିଁ। ଯେଉଁମାନେ ଚାହିବେ, ସେମାନଙ୍କ ପାଇଁ ଅଫ୍‌ଲାଇନ୍ ମାଧ୍ୟମରେ ମଧ୍ୟ ପରିଚୟ ଯାଞ୍ଚର ବ୍ୟବସ୍ଥା ରହିବ। ଏହାଦ୍ୱାରା ଜମି ପଞ୍ଜୀକରଣ ସମୟରେ ଅନେକ କାଗଜପତ୍ର ଓ ପ୍ରମାଣପତ୍ର ଦାଖଲ କରିବାର ଝଞ୍ଜାଟ କମିବ। ନାଗରିକଙ୍କ ସମୟ ବଞ୍ଚିବା ସହ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଅଧିକ ସହଜ ହେବ।

ଭୂ-ରେକର୍ଡ ସହ ହେବ ଡିଜିଟାଲ୍ ସଂଯୋଗ

ନୂଆ ବ୍ୟବସ୍ଥାର ସବୁଠୁ ବଡ଼ ଦିଗ ହେଉଛି ଭୂ-ରେକର୍ଡ ଓ ପଞ୍ଜୀକରଣ ରେକର୍ଡ ମଧ୍ୟରେ ଡିଜିଟାଲ୍ ସମନ୍ୱୟ। ପଞ୍ଜୀକରଣ ତଥ୍ୟକୁ ଅନ୍ୟାନ୍ୟ ସରକାରୀ ତଥ୍ୟଭଣ୍ଡାର ସହ ଯୋଡ଼ାଯାଇପାରିବ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କହିବା ଅନୁସାରେ, ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ, ସରଳ, ଦ୍ରୁତ ଓ ନାଗରିକକୈନ୍ଦ୍ରିକ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ସବୁକିଛି ଯୋଜନା ଅନୁସାରେ ଆଗକୁ ବଢ଼ିଲେ, ଜମି ଦଲିଲ ପଞ୍ଜୀକରଣ କ୍ଷେତ୍ରରେ ଏହା ହେବ ଏକ ବଡ଼ ଡିଜିଟାଲ୍ ବିପ୍ଳବ। କାଗଜର ପାହାଡ଼ ବଦଳରେ ଡିଜିଟାଲ୍ ରେକର୍ଡ, ଲମ୍ବା ପ୍ରକ୍ରିୟା ବଦଳରେ ଦ୍ରୁତ ସେବା ଏବଂ ପୁରୁଣା ଢାଞ୍ଚା ବଦଳରେ ଆଧୁନିକ ପଞ୍ଜୀକରଣ ବ୍ୟବସ୍ଥା—ଏସବୁ ଆଗାମୀ ଦିନରେ ଜମି କାରବାରର ଚିତ୍ରକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ। ଏବେ ସମସ୍ତଙ୍କ ନଜର କ୍ୟାବିନେଟ ନିଷ୍ପତ୍ତି ଉପରେ। କ୍ୟାବିନେଟର ସବୁଜ ସଙ୍କେତ ମିଳିଲେ ଓଡ଼ିଶାରେ ଜମି ଦଲିଲ ପଞ୍ଜୀକରଣ କ୍ଷେତ୍ରରେ ଆରମ୍ଭ ହେବ ଏକ ନୂଆ ଡିଜିଟାଲ୍ ଅଧ୍ୟାୟ।

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor