ସାନଖେମୁଣ୍ଡିରେ ବଦଳିବ କି ରାଜନୈତିକ ସମୀକରଣ?

Spread the love      ଗଞ୍ଜାମ ରାଜନୀତିର ଆକାଶରେ ଏବେ ଦେଖାଦେଇଛି ନୂଆ ଚର୍ଚ୍ଚାର ଝଡ଼। ସାନଖେମୁଣ୍ଡିରୁ ଗୋପାଳପୁର, ଗଞ୍ଜାମର ରାଜନୈତିକ ମାଟିରେ ହଠାତ୍‌ ତେଜ ହୋଇଛି ନୂଆ ସମୀକରଣକୁ ନେଇ କଳ୍ପନାଜଳ୍ପନା। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ରଙ୍ଗ ଦେଇଛି। ଗୋପାଳପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିଲା ବିକାଶର ବାର୍ତ୍ତାକୁ କେନ୍ଦ୍ର କରି। ୧୩୭୧ ବିସ୍ଥାପିତ ପରିବାର ପାଇଁ ୭୫.୬୦ କୋଟି ଟଙ୍କାର ପୁନର୍ବାସ ପ୍ୟାକେଜ୍‌, ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ଏବଂ…

Spread the love

ଗଞ୍ଜାମ ରାଜନୀତିର ଆକାଶରେ ଏବେ ଦେଖାଦେଇଛି ନୂଆ ଚର୍ଚ୍ଚାର ଝଡ଼। ସାନଖେମୁଣ୍ଡିରୁ ଗୋପାଳପୁର, ଗଞ୍ଜାମର ରାଜନୈତିକ ମାଟିରେ ହଠାତ୍‌ ତେଜ ହୋଇଛି ନୂଆ ସମୀକରଣକୁ ନେଇ କଳ୍ପନାଜଳ୍ପନା। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ରଙ୍ଗ ଦେଇଛି।

ଗୋପାଳପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିଲା ବିକାଶର ବାର୍ତ୍ତାକୁ କେନ୍ଦ୍ର କରି। ୧୩୭୧ ବିସ୍ଥାପିତ ପରିବାର ପାଇଁ ୭୫.୬୦ କୋଟି ଟଙ୍କାର ପୁନର୍ବାସ ପ୍ୟାକେଜ୍‌, ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ଏବଂ ବାହୁଦାରେ ପ୍ରସ୍ତାବିତ ବୃହତ୍ ବନ୍ଦର ଭଳି ଯୋଜନା ଗଞ୍ଜାମର ବିକାଶ ଚିତ୍ରକୁ ନୂଆ ଆୟାମ ଦେବାର ସଙ୍କେତ ଦେଇଛି।

  1. କିନ୍ତୁ ବିକାଶର ଏହି ମଞ୍ଚରେ ରାଜନୀତିର ଆଉ ଏକ ଦୃଶ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାର୍ଯ୍ୟକ୍ରମରେ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଉପସ୍ଥିତି ଏବଂ ବିଜେପି ନେତାମାନଙ୍କ ସହ ଏକ ମଞ୍ଚରେ ଦେଖାଯିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।ପ୍ରଶ୍ନ ଉଠୁଛି—ଏହା କେବଳ ଏକ ସାଧାରଣ ରାଜନୈତିକ ଶିଷ୍ଟାଚାର, ନା ଏହା ପଛରେ ରହିଛି କୌଣସି ବଡ଼ ରାଜନୈତିକ ସଙ୍କେତ?
  2. ଗଞ୍ଜାମର ରାଜନୀତିରେ ରମେଶ ଜେନାଙ୍କ ନିଜସ୍ୱ ପ୍ରଭାବ ରହିଛି। ତେଣୁ ତାଙ୍କୁ ନେଇ ଯେତେବେଳେ ଦଳବଦଳର ଚର୍ଚ୍ଚା ଉଠେ, ସ୍ୱାଭାବିକ ଭାବେ ସାନଖେମୁଣ୍ଡିର ରାଜନୈତିକ ପାଣିପାଗ ଉପରେ ନଜର ପଡ଼େ। ଏବେ ରାଜନୈତିକ ମହଲରେ ଏକ ଗୁଞ୍ଜରଣ—ରମେଶ ଜେନା ବିଜେପି ଶିବିରକୁ ଯିବାକୁ ପ୍ରସ୍ତୁତ କି?

ତେବେ ଏହି ଚର୍ଚ୍ଚାରେ ଏଯାଏଁ କୌଣସି ଅନ୍ତିମ ମୋହର ଲାଗିନାହିଁ। ରମେଶ ଜେନାଙ୍କ ପକ୍ଷରୁ ଯଦି ଆନୁଷ୍ଠାନିକ ଘୋଷଣା ଆସେ, ତେବେ ଗଞ୍ଜାମର ରାଜନୈତିକ ସମୀକରଣରେ ଏହା ନିଶ୍ଚିତ ଭାବେ ବଡ଼ ପରିବର୍ତ୍ତନ ଆଣିପାରେ।

ଏକ ପଟେ ବିଜେପି ଗଞ୍ଜାମରେ ନିଜ ସଂଗଠନକୁ ଆହୁରି ସୁଦୃଢ଼ କରିବାର ରଣନୀତିରେ ଆଗେଇ ଚାଲିଛି। ଅନ୍ୟପଟେ ବିରୋଧୀ ଶିବିରରେ ନେତୃତ୍ୱ ଓ ସଂଗଠନକୁ ନେଇ ଯେକୌଣସି ପରିବର୍ତ୍ତନ ଆଗାମୀ ଦିନର ରାଜନୀତିକୁ ପ୍ରଭାବିତ କରିପାରେ।

ତେଣୁ ଗତକାଲିର ମଞ୍ଚରେ ଏକାଠି ଦେଖାଯିବା କେବଳ ଏକ ଛବି ନା ଆଗାମୀ ରାଜନୈତିକ ପଟ୍ଟପରିବର୍ତ୍ତନର ପ୍ରାକ୍‌ସୂଚନା—ଏହା ଉପରେ ଏବେ ସମସ୍ତଙ୍କ ନଜର।

ଗଞ୍ଜାମର ମାଟିରେ ରାଜନୀତିର ଏହି ନୂଆ ପବନ କେଉଁ ଦିଗକୁ ବହିବ? ସାନଖେମୁଣ୍ଡିର ସମୀକରଣ କି ନୂଆ ରୂପ ନେବ? ରମେଶ ଜେନାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ?

ଏହାର ଉତ୍ତର ସମୟ ହିଁ ଦେବ। କିନ୍ତୁ ଗଞ୍ଜାମର ରାଜନୈତିକ ମଞ୍ଚରେ ଏବେ ଯେଉଁ ଗୁଞ୍ଜରଣ ଶୁଣାଯାଉଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ—ରାଜନୀତିର ରଙ୍ଗମଞ୍ଚରେ ପରଦା ଉଠିଛି, ଆଉ ପରବର୍ତ୍ତୀ ଦୃଶ୍ୟକୁ ନେଇ ଉତ୍କଣ୍ଠା ଚରମରେ।

 

ଏହି ଚର୍ଚ୍ଚା ଭିତରେ ଆଉ ଏକ ରାଜନୈତିକ ଦିଗକୁ ନେଇ ମଧ୍ୟ ଗଞ୍ଜାମରେ ଟୁପୁରୁଟାପର ଆରମ୍ଭ ହୋଇଛି। ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ଖଣିମନ୍ତ୍ରୀ ବିଭୁତିଭୁଷଣ ଜେନାଙ୍କ ମଧ୍ୟରେ ରାଜନୈତିକ ମତଭେଦକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ଏବେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ନେଇ ଉଠିଥିବା ଚର୍ଚ୍ଚାକୁ ଅନେକେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।

ରାଜନୈତିକ ମହଲରେ ଏଭଳି ଚର୍ଚ୍ଚା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଯଦି ରମେଶ ଜେନା ବିଜେପିରେ ସାମିଲ ହୁଅନ୍ତି, ତେବେ ଏହା କେବଳ ଦଳର ସଂଗଠନ ବୃଦ୍ଧିରେ ସୀମିତ ରହିବ ନାହିଁ; ଗଞ୍ଜାମ ବିଜେପିର ଆଭ୍ୟନ୍ତରୀଣ ସମୀକରଣ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ। ବିଶେଷକରି ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ପ୍ରଭାବକୁ ନେଇ ଯେଉଁ ଆଲୋଚନା ରହିଛି, ସେହି ପରିପ୍ରେକ୍ଷୀରେ ରମେଶଙ୍କୁ ନେଇ ଚର୍ଚ୍ଚାକୁ କିଛି ଲୋକ ବିଭୁତିଭୁଷଣ ଜେନାଙ୍କ ଏକ ସମ୍ଭାବ୍ୟ ରାଜନୈତିକ ରଣନୀତି ସହ ଯୋଡ଼ି ଦେଖୁଛନ୍ତି।

କାରଣ, ପ୍ରଦୀପ ପାଣିଗ୍ରାହୀ ଓ ରମେଶ ଜେନାଙ୍କ ମଧ୍ୟରେ ରାଜନୈତିକ ଦୂରତାକୁ ନେଇ ଗଞ୍ଜାମ ରାଜନୀତିରେ ପୂର୍ବରୁ ମଧ୍ୟ ଚର୍ଚ୍ଚା ରହିଆସିଛି। ତେଣୁ ରମେଶ ଯଦି ବିଜେପି ଶିବିରରେ ପହଞ୍ଚନ୍ତି, ତାହା କେବଳ ଏକ ଦଳବଦଳ ନା ଗଞ୍ଜାମ ବିଜେପି ଭିତରେ ଶକ୍ତି ସନ୍ତୁଳନର ଏକ ନୂଆ ଅଧ୍ୟାୟ—ସେନେଇ ଏବେ ଆରମ୍ଭ ହୋଇଛି ଅନେକ କଳ୍ପନାଜଳ୍ପନା।

ତେବେ ଏସବୁ ଏଯାଏଁ ରାଜନୈତିକ ମହଲର ଚର୍ଚ୍ଚା ଓ ଅନୁମାନ ମଧ୍ୟରେ ସୀମିତ। ବିଭୁତିଭୁଷଣ ଜେନା କିମ୍ବା ରମେଶ ଜେନାଙ୍କ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ କିମ୍ବା ଘୋଷଣା ଆସିନାହିଁ। ତେଣୁ ରମେଶଙ୍କ ବିଜେପି ଯୋଗଦାନକୁ ନେଇ ଚାଲିଥିବା ଚର୍ଚ୍ଚା କେତେଦୂର ସତ, ଆଉ କେତେଦୂର ରାଜନୈତିକ ରଣନୀତିର ଅଂଶ—ତାହା ସମୟ ହିଁ ସ୍ପଷ୍ଟ କରିବ।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor