ଆଇନଜୀବୀଙ୍କ ଠାରୁ ୧.୪୦ କୋଟିର ଜମି ଠକେଇ ଅଭିଯୋଗ! ଜଣେ ଗିରଫ

Spread the love      ବ୍ରହ୍ମପୁରରେ ଚର୍ଚ୍ଚାରେ ୧ କୋଟି ୪୦ ଲକ୍ଷ ଟଙ୍କାର ଜମି ଠକେଇ ମାମଲା। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ୍ ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଭୁବନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳର ୫୧ ବର୍ଷୀୟ ସୂରଜ କୁମାର ମିଶ୍ର। ଏନେଇ ବ୍ରହ୍ମପୁର ଟାଉନ୍ ଥାନାରେ କେସ୍ ନମ୍ବର ୪୧୦, ତାରିଖ ୦୭.୦୯.୨୦୨୬ରେ BNS ଧାରା ୩୧୮(୪)/୩୧୬(୨)/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ମାମଲାର ଅଭିଯୋଗକାରୀ ହେଉଛନ୍ତି ବ୍ରହ୍ମପୁର ଶାସ୍ତ୍ରୀ…

Spread the love

ବ୍ରହ୍ମପୁରରେ ଚର୍ଚ୍ଚାରେ ୧ କୋଟି ୪୦ ଲକ୍ଷ ଟଙ୍କାର ଜମି ଠକେଇ ମାମଲା। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ୍ ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଭୁବନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳର ୫୧ ବର୍ଷୀୟ ସୂରଜ କୁମାର ମିଶ୍ର। ଏନେଇ ବ୍ରହ୍ମପୁର ଟାଉନ୍ ଥାନାରେ କେସ୍ ନମ୍ବର ୪୧୦, ତାରିଖ ୦୭.୦୯.୨୦୨୬ରେ BNS ଧାରା ୩୧୮(୪)/୩୧୬(୨)/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ମାମଲାର ଅଭିଯୋଗକାରୀ ହେଉଛନ୍ତି ବ୍ରହ୍ମପୁର ଶାସ୍ତ୍ରୀ ନଗରର ୪୯ ବର୍ଷୀୟ ଲଳିତ ମୋହନ ମଙ୍ଗରାଜ, ଯିଏ ପେଶାରେ ଜଣେ ଆଇନଜୀବୀ। ଅଭିଯୋଗ ଅନୁସାରେ, ବ୍ରହ୍ମପୁର ତହସିଲ ଅଧୀନ ଶଙ୍କରପୁର ମୌଜାରେ ଥିବା ପ୍ରାୟ ୪ ଏକର ୧୧.୨୦ ଡିସିମିଲ ଜମି ବିକ୍ରିକୁ ନେଇ ୦୫ ଜାନୁଆରୀ ୨୦୨୩ ଓ ୨୪ ଜାନୁଆରୀ ୨୦୨୩ରେ ପାୱାର୍ ଅଫ୍ ଆଟର୍ଣ୍ଣି ଧାରକମାନଙ୍କ ସହ ଚୁକ୍ତି ହୋଇଥିଲା। ଏହି ଜମିର ମୋଟ ମୂଲ୍ୟ ୨ କୋଟି ୭୭ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। ଚୁକ୍ତି ଅନୁଯାୟୀ ଅଭିଯୋଗକାରୀ ଲଳିତ ମୋହନ ମଙ୍ଗରାଜ ଅଗ୍ରିମ ବାବଦରେ ବ୍ୟାଙ୍କ ଓ ନଗଦ ମାଧ୍ୟମରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଅଭିଯୋଗ କରିଛନ୍ତି। ଏହା ସହିତ, ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଖର୍ଚ୍ଚ ବାବଦରେ ୧୩ ଫେବୃଆରୀ ୨୦୨୫ରେ GPay ମାଧ୍ୟମରେ ଆଉ ୬୦ ହଜାର ଟଙ୍କା ଅଭିଯୁକ୍ତଙ୍କୁ ଦିଆଯାଇଥିବା ଅଭିଯୋଗ ରହିଛି। କିନ୍ତୁ ଅଭିଯୋଗ ଅନୁସାରେ, ଟଙ୍କା ନେବା ପରେ ମଧ୍ୟ ଜମିର ବିକ୍ରୟ ଦଲିଲ କରାଯାଇନଥିଲା। ଅଭିଯୋଗକାରୀଙ୍କ ଦାବି ଅନୁସାରେ, ପରେ ସମ୍ପୃକ୍ତ ଜମିକୁ ଗୋପନରେ ତୃତୀୟ ପକ୍ଷକୁ ବିକ୍ରି କରାଯାଇଥିଲା। ଟଙ୍କା ଫେରସ୍ତ ମାଗିବାରୁ ଅଭିଯୋଗକାରୀଙ୍କୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ମାମଲା ରୁଜୁ ପରେ ବ୍ରହ୍ମପୁର ଟାଉନ୍ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଜମି ସମ୍ପର୍କିତ ଚୁକ୍ତିପତ୍ର, ଆଫିଡେଭିଟ୍ ଏବଂ GPay କାରବାର ସମ୍ପର୍କିତ ଦଲିଲ ଜବତ କରାଯାଇଥିବା ବେଳେ ବିଭିନ୍ନ ସାକ୍ଷୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ସୂରଜ କୁମାର ମିଶ୍ରଙ୍କୁ ୦୭ ସେପ୍ଟେମ୍ବରରେ BNSS ଧାରା ୩୫(୩) ଅନୁଯାୟୀ ନୋଟିସ୍ ଦିଆଯାଇଥିଲା। ତେବେ ନୋଟିସ୍ ପରେ ଛାଡ଼ି ଦିଆଯିବା ପରେ, ଅଭିଯୋଗକାରୀଙ୍କୁ WhatsApp ଭଏସ୍ କଲ୍ ମାଧ୍ୟମରେ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦିଆଯାଇଥିବା ପୋଲିସ ଅଭିଯୋଗ କରିଛି। ନୋଟିସ୍‌ର ସର୍ତ୍ତ ଉଲ୍ଲଂଘନ କରିଥିବା ଦର୍ଶାଇ ୦୮ ସେପ୍ଟେମ୍ବର ୨୦୨୬ ସକାଳ ୧୦ଟାରେ ସୂରଜ କୁମାର ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ପରେ ତାଙ୍କୁ ବ୍ରହ୍ମପୁର SDJM କୋର୍ଟରେ ହାଜର କରାଯାଇ ୧୫ ଦିନିଆ ନ୍ୟାୟିକ ହାଜତ ପାଇଁ ପୋଲିସ ପକ୍ଷରୁ ପ୍ରାର୍ଥନା କରାଯାଇଛି। ତେବେ ମାମଲା ଏଠି ଶେଷ ହୋଇନାହିଁ। ଜମି ଠକେଇରେ ସମ୍ପୃକ୍ତ ଅନ୍ୟ ସହଅଭିଯୁକ୍ତଙ୍କୁ ଗିରଫ କରିବା ସହ ଠକେଇ ହୋଇଥିବା ଟଙ୍କା ଉଦ୍ଧାର ପାଇଁ ବ୍ରହ୍ମପୁର ଟାଉନ୍ ପୋଲିସର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor