ଭୁବନେଶ୍ୱର: ପର୍ବପର୍ବାଣୀ ପୂର୍ବରୁ ଗ୍ରାହକଙ୍କୁ ଲାଗିଛି ଆଉ ଏକ ଝଟକା। ଛେନା ଓ ପନିର ଦର ବୃଦ୍ଧି କରାଯାଇଥିବା ବେଳେ ଆସନ୍ତା ୧୫ ଅଗଷ୍ଟ ୨୦୨୬ରୁ ନୂଆ ଦର ଲାଗୁ ହେବ। ରାଜଧାନୀ ଦୁଗ୍ଧଜାତ ବ୍ୟବସାୟୀ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି।
ସଂଘର ସୂଚନା ଅନୁସାରେ, ଓମ୍ଫେଡ୍ କ୍ଷୀର ଦର ଲିଟର ପ୍ରତି ୪ ଟଙ୍କା ବଢ଼ିବା ସହ ଗୋ-ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇଛି। ଫଳରେ କ୍ଷୀର ସଂଗ୍ରହଠାରୁ ଆରମ୍ଭ କରି ଛେନା ଓ ପନିର ପ୍ରସ୍ତୁତି ପର୍ଯ୍ୟନ୍ତ ସମଗ୍ର ଖର୍ଚ୍ଚ ବଢ଼ିଥିବା ଦର୍ଶାଯାଇଛି।
ଏହି ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଛେନାର ଦର କେଜି ପ୍ରତି ୨୦ ଟଙ୍କା ଏବଂ ପନିରର ଦର କେଜି ପ୍ରତି ୩୦ ଟଙ୍କା ବଢ଼ାଯାଇଛି। ସଂଘର ସାଧାରଣ ସଭାର ଅନୁମୋଦନ ପରେ ଏହି ନୂଆ ଦର ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି।
ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବା ସମ୍ଭାବନା ରହିଛି। ଛେନା ଓ ପନିରର ବ୍ୟବହାର କରୁଥିବା ମିଠା ଦୋକାନ, ହୋଟେଲ ଏବଂ ଅନ୍ୟ ଖାଦ୍ୟ
ବ୍ୟବସାୟରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇପାରେ। ଫଳରେ କିଛି ମିଠା ଓ ଦୁଗ୍ଧଜାତ ଖାଦ୍ୟର ଦର ମଧ୍ୟ ଆଗାମୀ ଦିନରେ ବଢ଼ିବା ଆଶଙ୍କା ରହିଛି।













