ବୃଦ୍ଧାଶ୍ରମରେ ୭୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ: ଭିଡିଓ କଲ୍‌ରେ ହେଲା ଅନ୍ତିମ ସଂସ୍କାର, ଅସ୍ତି ନେବାକୁ ବି ଆସିଲେନି ଝିଅ

Spread the love       ନମସ୍କାର। ଓଡ଼ିଆ ଟ୍ରଷ୍ଟର ଏହି ବିଶେଷ ରିପୋର୍ଟକୁ ସ୍ୱାଗତ କରୁଛି ମୁଁ ରାଧାଶ୍ୟାମ। ବନ୍ଧୁଗଣ, ଆଜି ଆପଣଙ୍କ ସମ୍ମୁଖକୁ ଏମିତି ଏକ ହୃଦୟବିଦାରକ କାହାଣୀ ଆଣିଛି, ଯାହା ଶୁଣିଲେ ମନ ବିଚଳିତ ହୋଇଯିବ। ମନରେ ଅନେକ ପ୍ରଶ୍ନ ଉଠିବ, ଆଉ ମୁହଁରୁ ଅନାୟାସରେ ବାହାରି ଆସିବ—‘ଛି, ଛି…!’ କିନ୍ତୁ ଏହା କେବଳ ଗୋଟିଏ ପରିବାରର କାହାଣୀ ନୁହେଁ। ବଦଳୁଥିବା ସମାଜ ଓ ପରିବାର ବ୍ୟବସ୍ଥା ଭିତରେ ବୃଦ୍ଧ ବାପା-ମାଆଙ୍କ ପ୍ରତି ଆମ ଦାୟିତ୍ୱକୁ…

Spread the love

ନମସ୍କାର। ଓଡ଼ିଆ ଟ୍ରଷ୍ଟର ଏହି ବିଶେଷ ରିପୋର୍ଟକୁ ସ୍ୱାଗତ କରୁଛି ମୁଁ ରାଧାଶ୍ୟାମ।

ବନ୍ଧୁଗଣ, ଆଜି ଆପଣଙ୍କ ସମ୍ମୁଖକୁ ଏମିତି ଏକ ହୃଦୟବିଦାରକ କାହାଣୀ ଆଣିଛି, ଯାହା ଶୁଣିଲେ ମନ ବିଚଳିତ ହୋଇଯିବ। ମନରେ ଅନେକ ପ୍ରଶ୍ନ ଉଠିବ, ଆଉ ମୁହଁରୁ ଅନାୟାସରେ ବାହାରି ଆସିବ—‘ଛି, ଛି…!’

କିନ୍ତୁ ଏହା କେବଳ ଗୋଟିଏ ପରିବାରର କାହାଣୀ ନୁହେଁ। ବଦଳୁଥିବା ସମାଜ ଓ ପରିବାର ବ୍ୟବସ୍ଥା ଭିତରେ ବୃଦ୍ଧ ବାପା-ମାଆଙ୍କ ପ୍ରତି ଆମ ଦାୟିତ୍ୱକୁ ନେଇ ଏହା ଏକ ବଡ଼ ପ୍ରଶ୍ନ ଛିଡ଼ା କରୁଛି।

ଆମେ କହୁଛୁ ମୁମ୍ବାଇର ଜଣେ ଲୁଗା ବ୍ୟବସାୟୀ ରାମ ଚରଣ ଶିବରତନ ଗୁପ୍ତାଙ୍କ କଥା।

ପରିବାରକୁ ଖୁସିରେ ରଖିବା ପାଇଁ ସାରା ଜୀବନ ଉତ୍ସର୍ଗ କରିଦେଇଥିଲେ ରାମ ଚରଣ। ତାଙ୍କର ତିନି ଝିଅ। ପିଲାମାନଙ୍କୁ କୋଳେଇ କାଖେଇ, ହାତ ଧରି ବଡ଼ କରିବାରେ ସେ କାଣିଚାଏ ବି ଅବହେଳା କରିନଥିଲେ।ହେଲେ ପରିଣତ ବୟସରେ ଚିତ୍ର ବଦଳିଗଲା।

ଜୀବନର ଶେଷ ପର୍ଯ୍ୟାୟରେ ପ୍ରାୟ ଦେଢ଼ ବର୍ଷ ଧରି ନିଜ ଜୀବନଶୈଳୀ ଚଳାଇବାରେ ଅସୁବିଧା ଅନୁଭବ କରିବା ପରେ ରାମ ଚରଣ ବୃଦ୍ଧାଶ୍ରମର ଏକ କୋଠରୀକୁ ନିଜର ଠିକଣା କରିନେଇଥିଲେ। ସେ ଏକା ନଥିଲେ। ତାଙ୍କ ସହିତ ଥିଲେ ତାଙ୍କ ଧର୍ମପତ୍ନୀ।

କିଛି ମାସ ତଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ଦୁଃଖର କଥା, ନିଜ ମାଆଙ୍କ ଶେଷ ଦର୍ଶନ କରିବାକୁ କିମ୍ବା ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ତିନି ଝିଅଙ୍କ ମଧ୍ୟରୁ କେହି ଆସିପାରିନଥିଲେ ବୋଲି କୁହାଯାଉଛି।

ସେତେବେଳେ ହୁଏତ ରାମ ଚରଣ ବୁଝିଯାଇଥିଲେ—ପରିବାରରେ ତାଙ୍କ ସ୍ଥାନ କେତେ ବଦଳିଯାଇଛି।

ଏହାରି ଭିତରେ ୭୪ ବର୍ଷ ବୟସରେ ରାମ ଚରଣଙ୍କ ମୃତ୍ୟୁ ହୋଇଥିଲା।

ହେଲେ ବାପାଙ୍କ ମୃତ୍ୟୁ ପରେ ମଧ୍ୟ ଚିତ୍ର ବଦଳିଲା ନାହିଁ। ତିନି ଝିଅଙ୍କ ପାଖରେ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ସମୟ ନଥିଲା ବୋଲି ଜଣାପଡ଼ିଛି।

ଫଳରେ ଭିଡିଓ କଲ୍‌ ମାଧ୍ୟମରେ ବାପାଙ୍କ ଅନ୍ତିମ ସଂସ୍କାରର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ତିନି ଝିଅ ୫ ହଜାର ୧୦୦ ଟଙ୍କା ପଠାଇଥିବା କୁହାଯାଉଛି।

  • ତିନି ଝିଅଙ୍କ ମଧ୍ୟରୁ ଜଣେ ନେପାଳରେ, ଜଣେ ଉତ୍ତରପ୍ରଦେଶର ଆଜମଗଡ଼ରେ ଏବଂ ଅନ୍ୟ ଜଣେ ମୁମ୍ବାଇରେ ରହୁଥିବା ଜଣାପଡ଼ିଛି।

ସବୁଠାରୁ ଦୁଃଖଦ ଘଟଣା ହେଉଛି, ବାପାଙ୍କ ଅସ୍ଥି ଗ୍ରହଣ କରିବାକୁ ମଧ୍ୟ ଝିଅମାନେ ଇଚ୍ଛା ପ୍ରକାଶ କରିନଥିବା ଖବର ସାମ୍ନାକୁ ଆସିଛି।

ଯେଉଁ ବୃଦ୍ଧାଶ୍ରମ ରାମ ଚରଣଙ୍କୁ ନିଜ ପରିବାରର ସଦସ୍ୟ ଭଳି ଭାବି ସେବା କରୁଥିଲା, ସେହି ଆଶ୍ରମ ପକ୍ଷରୁ ଅନ୍ତିମ ସଂସ୍କାର ପାଇଁ ଟଙ୍କା ନେବାକୁ ମଧ୍ୟ ମନା କରାଯାଇଥିବା କୁହାଯାଉଛି।

ଏହି ଘଟଣା ଆମ ସଭ୍ୟ ସମାଜ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଛିଡ଼ା କରୁଛି—ବୃଦ୍ଧ ବାପା-ମାଆଙ୍କ ପାଇଁ ଆମ ପାଖରେ ସମୟ କେତେ?

ଆଜି ଆମେ ଅନ୍ୟ ଜଣଙ୍କ ଘଟଣା ଦେଖି ଦୁଃଖିତ ହେଉଛେ, ପ୍ରଶ୍ନ କରୁଛେ, ସମାଲୋଚନା କରୁଛେ। କିନ୍ତୁ ଆସନ୍ତାକାଲି ଆମ ପରିବାରରେ ଏଭଳି ପରିସ୍ଥିତି ନ ଆସିବ, ତାହା କିଏ କହିପାରିବ?

ଯେଉଁ ବାପା-ମାଆ ନିଜ ପିଲାଙ୍କ ପାଇଁ ସାରା ଜୀବନ ତ୍ୟାଗ କରିଛନ୍ତି, ବୃଦ୍ଧାବସ୍ଥାରେ ସେମାନଙ୍କୁ ଏକାକୀ ଛାଡ଼ିଦେବା କେତେ ଠିକ୍?

ଆଜି ଯେଉଁମାନେ ନିଜ ବୃଦ୍ଧ ବାପା-ମାଆଙ୍କ ପାଇଁ ସମୟ ବାହାର କରିପାରୁନାହାନ୍ତି, ସେମାନେ ମନେ ରଖିବା ଦରକାର—ସମୟ କେବେ ଗୋଟିଏ ସ୍ଥାନରେ ରହେ ନାହିଁ।

କଥାରେ ଅଛି—

“ତଳ ପରଦା ଖସୁଛି, ଉପର ପରଦା ହସୁଛି;

ମଝି ପରଦା ହାତ ଠାରି କହୁଛି—ତୋ’ ବେଳକାଳ ଆସୁଛି।”

ତେଣୁ ଆସନ୍ତୁ, ଆମେ ନିଜ ଘରର ବୃଦ୍ଧ ବାପା-ମାଆଙ୍କୁ ସମୟ ଦେବା। ସେମାନଙ୍କ ସହିତ କିଛି ସମୟ କଥା ହେବା, ସେମାନଙ୍କ ଆବଶ୍ୟକତା ବୁଝିବା ଏବଂ ଜୀବନର ଶେଷ ପର୍ଯ୍ୟାୟରେ ସେମାନଙ୍କୁ ଏକାକୀ ଅନୁଭବ କରିବାକୁ ନଦେବା।

କାରଣ ଟଙ୍କା, ସମ୍ପତ୍ତି ଓ ସୁବିଧା ଅପେକ୍ଷା ବୃଦ୍ଧ ବାପା-ମାଆଙ୍କ ପାଇଁ ଆମର କିଛି ସମୟ ଓ ଭଲପାଇବା ହିଁ ସବୁଠାରୁ ବଡ଼ ସମ୍ପଦ।

ଏହି ଖବରଟି ସେହି ପ୍ରତ୍ୟେକ ପରିବାର ପାଖରେ ପହଞ୍ଚାନ୍ତୁ, ଯେଉଁଠାରେ ବୃଦ୍ଧ ବାପା-ମାଆ ଏକାକୀ ଜୀବନ କାଟୁଛନ୍ତି।

ଧନ୍ୟବାଦ।

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor