ପୋଲସରା: ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ସୃଷ୍ଟି ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ର କଳମ୍ବ ଗ୍ରାମରେ ଏକ ବଡ଼ଧରଣର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ‘ମେଗା ପ୍ଲାଣ୍ଟେସନ୍ ଡ୍ରାଇଭ୍’ ନାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ଶହଶହ ଛାତ୍ରଛାତ୍ରୀ, ଯୁବକ ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ।
ଯୁବ ସମାଜସେବୀ ରତନ କୁମାର ପ୍ରଧାନଙ୍କ ବ୍ୟକ୍ତିଗତ ପୃଷ୍ଠପୋଷକତା ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। କଳମ୍ବରୁ ଜକର ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରଜାତିର ୪୦୦ରୁ ଅଧିକ ଚାରା ରୋପଣ କରାଯାଇଛି।
ଚାରା ଧରି ନଗର ପରିକ୍ରମା
ବୃକ୍ଷରୋପଣ କାର୍ଯ୍ୟକ୍ରମର ଆରମ୍ଭରେ ନେହେରୁ ଯୁବ ସଂସଦଠାରୁ ଏକ ବିଶାଳ ସଚେତନତା ରାଲି ବାହାରିଥିଲା। ‘ସବୁଜ କଳମ୍ବ, ସୁନ୍ଦର କଳମ୍ବ’ ଭଳି ବାର୍ତ୍ତା ସହ ଏହି ରାଲିରେ ପ୍ରାୟ ଏକ ହଜାର ଲୋକ ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ମଧ୍ୟ ହାତରେ ଚାରା ଧରି ରାଲିରେ ସାମିଲ ହୋଇଥିଲେ।
ରାଲିରେ ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀର ବାର୍ତ୍ତା ଦିଆଯାଇଥିଲା। ନଗର ପରିକ୍ରମା ପରେ ସମସ୍ତେ ଦଧିବାମନ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଏହାପରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଗାତରେ ଚାରାଗୁଡ଼ିକ ରୋପଣ କରାଯାଇଥିଲା।
ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଯୋଗଦାନ
ଏହି ଅଭିଯାନରେ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ, ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦୁଷ୍ମନ୍ତ ସ୍ମାରକୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଟଣା ପ୍ରାଥମିକ ବିଦ୍ୟାଳୟ, ଦିବ୍ୟଦର୍ଶନ ଶିଶୁ ମନ୍ଦିର, ବୀଣାପାଣି ହାଇଟେକ୍ ଷ୍ଟଡି ସେଣ୍ଟର ଓ ନ୍ୟୁ ବ୍ରାଇଟ୍ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ନେହେରୁ ଯୁବ ସଂସଦର ସଦସ୍ୟସଦସ୍ୟାମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବୃନ୍ଦାବନ ପ୍ରଧାନ, ଅଧ୍ୟାପକ ମନୋଜ କୁମାର ସାହୁ, ସାହିତ୍ୟିକ କୁଳମଣି ସାହୁ, ପୂର୍ବତନ ସରପଞ୍ଚ କାଳୁଚରଣ ପ୍ରଧାନ, ସରପଞ୍ଚ ପ୍ରତିନିଧି ସୁସିତ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ରାମକୃଷ୍ଣ ସାହୁଙ୍କ ସମେତ ବହୁ ସମାଜସେବୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ଆଗକୁ ରୋପଣ ହେବ ଆହୁରି ୨ ହଜାର ଚାରା
କେବଳ ଚାରା ରୋପଣରେ ଅଭିଯାନକୁ ସୀମିତ ନରଖି ଏହାର ରକ୍ଷଣାବେକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଦିନରେ ଆହୁରି ୨ ହଜାର ଚାରା ରୋପଣ କରାଯିବା ସହ ସେଗୁଡ଼ିକର ନିୟମିତ ଯତ୍ନ ନିଆଯିବ ବୋଲି ରତନ କୁମାର ପ୍ରଧାନ କହିଛନ୍ତି। କୌଣସି ଗଛ ଯେପରି ନଷ୍ଟ ନହୁଏ, ସେଥିପାଇଁ ଶ୍ରମ, ସମୟ ସହ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇବାକୁ ସେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।
କଳମ୍ବ ଗ୍ରାମ ଶିକ୍ଷା, ସାହିତ୍ୟ, କଳା ଓ ସଂସ୍କୃତି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ରଖିଥିବା ବେଳେ ଏଭଳି ବୃକ୍ଷରୋପଣ ଅଭିଯାନ ଅନ୍ୟମାନଙ୍କୁ ମଧ୍ୟ ପରିବେଶ ସୁରକ୍ଷା ପାଇଁ ପ୍ରେରଣା ଦେବ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।
ପରିଶେଷରେ ଗ୍ରାମ ଉପକଣ୍ଠ ଶ୍ରୀରାମ ମନ୍ଦିର ନିକଟରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏହା ସହ ଅଂଶଗ୍ରହଣକାରୀଙ୍କ ପାଇଁ ଜଳଯୋଗର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏଭଳି ଏକ ମହତ୍ ଉଦ୍ୟମ ପାଇଁ ଅଞ୍ଚଳବାସୀ ଆୟୋଜକ ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା କରିଛନ୍ତି।














