ପନିର୍‌ ପରେ ଛେନା-ଖୁଆରେ ଭେଜାଲ୍‌ ଖେଳ! ନରମ ଓ ସତେଜ ଦେଖାଇବାକୁ ମିଶୁଛି ଏସିଡ୍‌,

Spread the love      କଟକ/ବ୍ରହ୍ମପୁର, ୨୧/୮: କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଆପଣ ପୁଷ୍ଟିକର ଖାଦ୍ୟ ଭାବି ଖାଉଥିବା ପନିର୍‌, ଛେନା ଓ ଖୁଆରେ ଏବେ ଅପମିଶ୍ରଣର ଅଭିଯୋଗ ସାମ୍ନାକୁ ଆସିଛି। କୋଲକାତାରୁ କଟକ ଏବଂ କଟକରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଏହି ଭେଜାଲ୍‌ କ୍ଷୀର ଜାତୀୟ ସାମଗ୍ରୀର କାରବାର ଚାଲିଥିବା ଅଭିଯୋଗ ହେଉଛି। ପନିର୍‌ ପରେ ଏବେ ଛେନା, ଖୁଆ ଓ ରାବିଡ଼ି ଭଳି ସାମଗ୍ରୀକୁ ନେଇ ମଧ୍ୟ…

Spread the love

କଟକ/ବ୍ରହ୍ମପୁର, ୨୧/୮: କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଆପଣ ପୁଷ୍ଟିକର ଖାଦ୍ୟ ଭାବି ଖାଉଥିବା ପନିର୍‌, ଛେନା ଓ ଖୁଆରେ ଏବେ ଅପମିଶ୍ରଣର ଅଭିଯୋଗ ସାମ୍ନାକୁ ଆସିଛି। କୋଲକାତାରୁ କଟକ ଏବଂ କଟକରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଏହି ଭେଜାଲ୍‌ କ୍ଷୀର ଜାତୀୟ ସାମଗ୍ରୀର କାରବାର ଚାଲିଥିବା ଅଭିଯୋଗ ହେଉଛି।

ପନିର୍‌ ପରେ ଏବେ ଛେନା, ଖୁଆ ଓ ରାବିଡ଼ି ଭଳି ସାମଗ୍ରୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କେଉଁଠି ପାଉଡର୍‌ ମିଶାଯାଉଛି ତ ଆଉ କେଉଁଠି ବିସ୍କୁଟ୍‌ ଗୁଣ୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଯାଉଥିବା ଅଭିଯୋଗ ରହିଛି। ସବୁଠୁ ଚିନ୍ତାର ବିଷୟ ହେଲା, ଖାଦ୍ୟକୁ ନରମ ଓ ସତେଜ ଦେଖାଇବା ପାଇଁ ଏସିଡ୍‌ ମିଶାଯାଉଥିବା କଥା ମଧ୍ୟ ସାମ୍ନାକୁ ଆସିଛି।

କଟକ ମହାନଗର ନିଗମ ପକ୍ଷରୁ ଛେନା ଜବତ କରାଯିବା ପରେ ବ୍ୟବସାୟୀଙ୍କୁ ପଚରାଉଚରା କରାଯାଇଥିଲା। ଏହି ସମୟରେ ଛେନାରେ ଏସିଡ୍‌ ମିଶାଯାଉଥିବା ନେଇ ସୂଚନା ମିଳିଥିବା କୁହାଯାଉଛି। ଏହାପରେ ସହରରେ ବିକ୍ରି ହେଉଥିବା କ୍ଷୀର ଜାତୀୟ ଖାଦ୍ୟ ସାମଗ୍ରୀକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ଏପଟେ ପ୍ରଶାସନ ମଧ୍ୟ ଏବେ ସକ୍ରିୟ ହୋଇଥିବା ଦେଖାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗର ସ୍ୱତନ୍ତ୍ର ଟିମ୍‌ କଟକ ଓ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପନିର୍‌, ଛେନା ଓ ଖୁଆ ଭଳି ସାମଗ୍ରୀର ନମୁନା ସଂଗ୍ରହ କରୁଛି। ଏହି ନମୁନାଗୁଡ଼ିକର ପରୀକ୍ଷା ପରେ ଅପମିଶ୍ରଣ ନେଇ ଚୂଡ଼ାନ୍ତ ତଥ୍ୟ ସ୍ପଷ୍ଟ ହେବ।

କୋଲକାତାରୁ ଆସୁଛି ଖୁଆ, ଟାଙ୍ଗୀରେ ହେଉଛି ଭେଜାଲ୍‌!

ସହରରେ ଛେନା, ରାବିଡ଼ି ଓ ଖୁଆ ଭଳି କ୍ଷୀର ଜାତୀୟ ସାମଗ୍ରୀର ଚାହିଦା ଅଧିକ। କିନ୍ତୁ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ପନିର୍‌ ଜବତ ହେବା ପରେ ଏବେ ଅନ୍ୟ କ୍ଷୀର ଜାତୀୟ ସାମଗ୍ରୀ ଉପରେ ମଧ୍ୟ ସନ୍ଦେହ ବଢ଼ିଛି।

କେଏମ୍‌ସି ପକ୍ଷରୁ ପନିର୍‌ ସହ ପ୍ରାୟ ୩୫ କ୍ୱିଣ୍ଟାଲ୍‌ ଛେନା ଜବତ କରି ନଷ୍ଟ କରାଯାଇଥିବା ସୂଚନା ରହିଛି। ପ୍ରାଥମିକ ପରୀକ୍ଷାରେ ଏଥିରେ ଷ୍ଟାର୍ଚ୍ଚର ମାତ୍ରା ଅଧିକ ଥିବା ଜଣାପଡ଼ିଥିଲା।

ସେହିପରି କୋଲକାତାରୁ ବିପୁଳ ପରିମାଣରେ ଖୁଆ ଆସୁଥିବା ଏବଂ ଟାଙ୍ଗୀ ଅଞ୍ଚଳରେ ଏଥିରେ ଅପମିଶ୍ରଣ କରାଯାଉଥିବା ନେଇ ମଧ୍ୟ ସୂଚନା ମିଳିଛି। ଅଭିଯୋଗ ଅନୁସାରେ, କିଛି ବ୍ୟବସାୟୀ ଖୁଆରେ ବିସ୍କୁଟ୍‌ ଗୁଣ୍ଡ ଓ ବିଭିନ୍ନ ଏସେନ୍ସ ପାଉଡର୍‌ ମିଶାଇ କମ୍‌ ଦାମ୍‌ରେ ମିଠା ଦୋକାନକୁ ଯୋଗାଣ ଦେଉଛନ୍ତି। ଏହି ଖୁଆରୁ ପେଡ଼ା ସମେତ ବିଭିନ୍ନ ମିଠା ପ୍ରସ୍ତୁତ ହେଉଥିବା କଥା ସାମ୍ନାକୁ ଆସିଛି।

ଶୁଦ୍ଧ ଓ ଅପମିଶ୍ରିତ ଛେନା ମଧ୍ୟରେ କିପରି ଜାଣିବେ ଫରକ?

ସାଧାରଣତଃ ଆଖିରେ ଦେଖି ଶୁଦ୍ଧ ଓ ଅପମିଶ୍ରିତ ଛେନା କିମ୍ବା ପନିର୍‌ ମଧ୍ୟରେ ସହଜରେ ଫରକ ଜାଣିହୁଏ ନାହିଁ। ଷ୍ଟାର୍ଚ୍ଚ ମିଶ୍ରଣ ଚିହ୍ନଟ ପାଇଁ ଆୟୋଡିନ୍‌ ପରୀକ୍ଷା ଏକ ପ୍ରାଥମିକ ଉପାୟ ହୋଇପାରେ। ଆୟୋଡିନ୍‌ ପକାଇବା ପରେ କଳା କିମ୍ବା ନୀଳ ରଙ୍ଗ ଦେଖାଦେଲେ ଷ୍ଟାର୍ଚ୍ଚ ଥିବାର ସଙ୍କେତ ମିଳିପାରେ।

ସାଧାରଣତଃ ଶୁଦ୍ଧ ଛେନା କିମ୍ବା ପନିର୍‌ରେ ଆଦ୍ରତା ରହିଥାଏ ଏବଂ ଏହାର ଗଠନ ନରମ ହୋଇଥାଏ। ତେବେ କେବଳ ଦେଖିବା କିମ୍ବା ହାତରେ ଧରି ଖାଦ୍ୟ ଶୁଦ୍ଧ କି ନୁହେଁ, ତାହା ନିଶ୍ଚିତ କରିହେବ ନାହିଁ। ଲାବରେଟୋରୀ ପରୀକ୍ଷା ପରେ ହିଁ ଏନେଇ ସ୍ପଷ୍ଟ ତଥ୍ୟ ମିଳିପାରିବ।

ଖାଦ୍ୟ ସୁରକ୍ଷା ବିଭାଗର ଭୂମିକାକୁ ନେଇ ପ୍ରଶ୍ନ

ଗତ କିଛି ଦିନ ହେବ ବିପୁଳ ପରିମାଣର ଅପମିଶ୍ରିତ ପନିର୍‌ ଓ ଛେନା ଧରାପଡ଼ୁଥିବା ବେଳେ ଏହାର ଉତ୍ସ ଓ ଯୋଗାଣ ଶୃଙ୍ଖଳକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ସ୍ତରରେ ଏଭଳି କାରବାର ଚାଲିଥିବା ସତ୍ତ୍ୱେ ନିୟମିତ ଯାଞ୍ଚ କାହିଁକି ହେଉନଥିଲା, ତାହାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

ଚଢ଼ଉ ଖବର ପରେ କିଛି ବ୍ୟବସାୟୀ ସାମଗ୍ରୀ ଯୋଗାଣ ବନ୍ଦ କରିଥିବା ନେଇ ସୂଚନା ରହିଛି। ତେବେ ଏହି କାରବାର ପଛରେ ଥିବା ମୁଖ୍ୟ ବ୍ୟକ୍ତି ଓ ଯୋଗାଣ ଶୃଙ୍ଖଳକୁ ଚିହ୍ନଟ କରିବା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ।

ପନିର୍‌ର ମାନ ଯାଞ୍ଚ ଉପରେ ଗୁରୁତ୍ୱ

ଖାଦ୍ୟ ସୁରକ୍ଷା ମାନଦଣ୍ଡ ଅନୁସାରେ ପନିର୍‌ର ଗୁଣବତ୍ତା ଓ ଉପାଦାନ ନିର୍ଦ୍ଦିଷ୍ଟ ମାନକ ଅନୁଯାୟୀ ରହିବା ଆବଶ୍ୟକ। କିନ୍ତୁ ଅପମିଶ୍ରଣ ଅଭିଯୋଗ ମଧ୍ୟରେ ଷ୍ଟାର୍ଚ୍ଚ ଓ ଅନ୍ୟାନ୍ୟ ଅନୁମୋଦନ ନଥିବା ସାମଗ୍ରୀ ମିଶାଯାଉଥିବା ନେଇ ତଦନ୍ତ ଚାଲିଛି।

ଆଗାମୀ ଦିନରେ ସପିଂ ମଲ୍‌ ଓ ବିଭିନ୍ନ ବଜାରରେ ବିକ୍ରି ହେଉଥିବା ପ୍ୟାକେଟ୍‌ ପନିର୍‌ ସମେତ ଅନ୍ୟ କ୍ଷୀର ଜାତୀୟ ସାମଗ୍ରୀର ମଧ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ରହିଛି। ସଂଗ୍ରହ ହୋଇଥିବା ନମୁନାର ଲାବରେଟୋରୀ ରିପୋର୍ଟ ଆସିବା ପରେ ଯଦି ଅପମିଶ୍ରଣ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତଙ୍କ ବିରୋଧରେ ନିୟମ ଅନୁସାରେ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *

BlockSpare — News, Magazine and Blog Addons for (Gutenberg) Block Editor