ଢେଙ୍କାନାଳ, ୨୪/୦୮: ଏପର୍ଯ୍ୟନ୍ତ ATM କହିଲେ ଟଙ୍କା ଉଠାଇବାର ମେସିନ୍କୁ ବୁଝାଯାଉଥିଲା। କିନ୍ତୁ ଏବେ ଢେଙ୍କାନାଳରେ ATMରୁ ଟଙ୍କା ନୁହେଁ, ମିଳିବ ଚାଉଳ। ରାସନ କାର୍ଡ ନମ୍ବର ଓ ବାୟୋମେଟ୍ରିକ୍ ଟିପ୍ପଚିହ୍ନ ଦେଇ ହିତାଧିକାରୀ ନିଜ ଭାଗର ଚାଉଳ ସହଜରେ ନେଇପାରିବେ।
ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଏବେ ଢେଙ୍କାନାଳରେ ଖୋଲିବାକୁ ଯାଉଛି ‘ରାଇସ୍ ATM’। ଯୋଗାଣ ବିଭାଗ ପକ୍ଷରୁ ‘ଅନ୍ନପୂର୍ତ୍ତି’ ଯୋଜନା ଅଧୀନରେ ଏହି ନୂଆ ବ୍ୟବସ୍ଥା କରାଯାଉଛି। ଆସନ୍ତା ୩୧ ତାରିଖରୁ ଢେଙ୍କାନାଳ ସହରର RTO କାର୍ଯ୍ୟାଳୟ ନିକଟରେ ଏହି ଚାଉଳ ATM କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରହିଛି।
କିପରି ମିଳିବ ଚାଉଳ?
ହିତାଧିକାରୀଙ୍କୁ ପ୍ରଥମେ ରାସନ କାର୍ଡ ନମ୍ବର ଦେବାକୁ ପଡିବ। ପରେ ବାୟୋମେଟ୍ରିକ୍ ମାଧ୍ୟମରେ ଟିପ୍ପଚିହ୍ନ ଦେଇ ପରିଚୟ ଯାଞ୍ଚ କରାଯିବ। ଯାଞ୍ଚ ପରେ ହିତାଧିକାରୀଙ୍କ ପାଇଁ ଧାର୍ଯ୍ୟ ଥିବା ପରିମାଣର ଚାଉଳ ମେସିନ୍ରୁ ବାହାରିବ। କେତେ ପରିମାଣର ଚାଉଳ ମିଳିଲା, ତାହା ମଧ୍ୟ ସ୍କ୍ରିନ୍ରେ ଦେଖାଯିବ।
ଏହି ମେସିନ୍ରେ ୨୫ କ୍ୱିଣ୍ଟାଲରୁ ଅଧିକ ଚାଉଳ ରଖିବାର ବ୍ୟବସ୍ଥା ରହିବ। ସାମ୍ନାରେ ବସ୍ତା ରଖିବା ପାଇଁ ସ୍ଥାନ ମଧ୍ୟ ରହିବ, ଯେଉଁଥିରେ ଅତି କମ୍ ସମୟ ମଧ୍ୟରେ ଚାଉଳ ଭରି ହୋଇଯିବ।
ଡିଲରଙ୍କୁ ଅପେକ୍ଷା କରିବାକୁ ପଡିବ ନାହିଁ
ଏହି ରାଇସ୍ ATMର ସବୁଠାରୁ ବଡ଼ ସୁବିଧା ହେଲା, ହିତାଧିକାରୀଙ୍କୁ ଆଉ ଡିଲରଙ୍କ ପାଖକୁ ଯାଇ ଅପେକ୍ଷା କରିବାକୁ ପଡିବ ନାହିଁ। ମେସିନ୍ଟି ୨୪ ଘଣ୍ଟା କାର୍ଯ୍ୟ କରିବାର ଯୋଜନା ରହିଛି। ତେଣୁ ହିତାଧିକାରୀ ନିଜ ସୁବିଧା ଅନୁସାରେ ଯେକୌଣସି ସମୟରେ ଯାଇ ନିଜ ଭାଗର ଚାଉଳ ନେଇପାରିବେ।
ଚାଉଳ ସହିତ ଗହମ ମଧ୍ୟ ଏହି ବ୍ୟବସ୍ଥାରେ ମିଳିବାର ବିକଳ୍ପ ରହିବ। ରାସନ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସହଜ ଓ ବ୍ୟବସ୍ଥିତ କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ।
ଚାଲିଛି ଶେଷ ପର୍ଯ୍ୟାୟର ପ୍ରସ୍ତୁତି
ଢେଙ୍କାନାଳ RTO କାର୍ଯ୍ୟାଳୟ ନିକଟରେ ରାଇସ୍ ATM ସ୍ଥାପନ କାମ ଜାରି ରହିଛି। ଘର ନିର୍ମାଣ ସହ ମେସିନ୍ ଖଞ୍ଜାଯାଇଛି। ରବିବାର ଏକ ବୈଷୟିକ ଦଳ ମେସିନ୍ର ପରୀକ୍ଷା କରିଛନ୍ତି। ଅବଶିଷ୍ଟ କାମ ଶେଷ ହେବା ପରେ ପୁଣି ୨୭ ତାରିଖରେ ପରୀକ୍ଷା କରାଯିବ। ଏହାପରେ ୩୧ ତାରିଖରେ ଏହାର ଉଦ୍ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସଫଳତାର ସହ ଏହି ଯୋଜନା କାର୍ଯ୍ୟକ୍ଷମ ହେଲେ ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ରାଇସ୍ ATM ସ୍ଥାପନ କରାଯିବାର ସମ୍ଭାବନା ରହିଛି।
ଢେଙ୍କାନାଳ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରାୟ ସାଢ଼େ ୮ ଲକ୍ଷ ହିତାଧିକାରୀ ରାସନ ସୁବିଧା ପାଉଛନ୍ତି। ତେଣୁ ଏହି ନୂଆ ରାଇସ୍ ATM ବ୍ୟବସ୍ଥା ହିତାଧିକାରୀଙ୍କ ପାଇଁ ରାସନ ସଂଗ୍ରହକୁ ଆହୁରି ସହଜ କରିବ ବୋଲି ଆଶା କରାଯାଉଛି।














