କୁକୁରଙ୍କୁ ବି ହେଉଛି ମଧୁମେହ: ଇନସୁଲିନ୍‌ରେ ଚାଲିଛି ଚିକିତ୍ସା, ମାସକୁ ୧୦ରୁ ଅଧିକ କୁକୁରଙ୍କ ଚିକିତ୍ସା

Spread the love      ଭୁବନେଶ୍ୱର, ୨୫/୦୮: ଏବେ କେବଳ ମଣିଷ ନୁହେଁ, ପୋଷା କୁକୁରଙ୍କ ମଧ୍ୟରେ ବି ବଢ଼ୁଛି ମଧୁମେହ ବା ଡାଏବେଟିସ୍‌ ସମସ୍ୟା। ଅନିୟମିତ ଖାଦ୍ୟ, ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଏବଂ ଶାରୀରିକ କସରତର ଅଭାବ କୁକୁରଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ସାଜୁଛି। ଭୁବନେଶ୍ୱରର ବିଭିନ୍ନ ପଶୁ ଚିକିତ୍ସାଳୟରେ ପ୍ରତି ମାସରେ ଡାଏବେଟିସ୍‌ ଆକ୍ରାନ୍ତ ଏକାଧିକ କୁକୁରଙ୍କ ଚିକିତ୍ସା କରାଯାଉଛି। ପୂର୍ବରୁ କୁକୁରଙ୍କ ମଧ୍ୟରେ ଏଭଳି ସମସ୍ୟା କମ୍ ଦେଖିବାକୁ ମିଳୁଥିଲା। ହେଲେ ଏବେ ଜୀବନଶୈଳୀ…

Spread the love

ଭୁବନେଶ୍ୱର, ୨୫/୦୮: ଏବେ କେବଳ ମଣିଷ ନୁହେଁ, ପୋଷା କୁକୁରଙ୍କ ମଧ୍ୟରେ ବି ବଢ଼ୁଛି ମଧୁମେହ ବା ଡାଏବେଟିସ୍‌ ସମସ୍ୟା। ଅନିୟମିତ ଖାଦ୍ୟ, ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଏବଂ ଶାରୀରିକ କସରତର ଅଭାବ କୁକୁରଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ସାଜୁଛି। ଭୁବନେଶ୍ୱରର ବିଭିନ୍ନ ପଶୁ ଚିକିତ୍ସାଳୟରେ ପ୍ରତି ମାସରେ ଡାଏବେଟିସ୍‌ ଆକ୍ରାନ୍ତ ଏକାଧିକ କୁକୁରଙ୍କ ଚିକିତ୍ସା କରାଯାଉଛି।

ପୂର୍ବରୁ କୁକୁରଙ୍କ ମଧ୍ୟରେ ଏଭଳି ସମସ୍ୟା କମ୍ ଦେଖିବାକୁ ମିଳୁଥିଲା। ହେଲେ ଏବେ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସର ପରିବର୍ତ୍ତନ ସହ କୁକୁରଙ୍କ ମଧ୍ୟରେ ମଧୁମେହ ଭଳି ରୋଗ ଚିହ୍ନଟ ହେଉଛି। ପୋଷା କୁକୁରଙ୍କୁ ଅଧିକ ଗେହ୍ଲା କରି ଚିକେନ୍, ମଟନ୍, କ୍ଷୀର, ଛେନା, ବିସ୍କୁଟ୍ ଓ ଅନ୍ୟାନ୍ୟ ଖାଦ୍ୟ ଦିଆଯାଉଥିବାବେଳେ ସେମାନଙ୍କ ପାଇଁ ସଠିକ୍ ଡାଏଟ୍ ପ୍ଲାନ୍‌ର ଅଭାବ ଦେଖାଯାଉଛି।

କେବଳ ଖାଦ୍ୟ ନୁହେଁ, ଶାରୀରିକ କସରତର ଅଭାବ ମଧ୍ୟ କୁକୁରଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ଅନେକ ପୋଷା କୁକୁର ଦିନର ଅଧିକାଂଶ ସମୟ ଘରେ ରହୁଥିବାବେଳେ ନିୟମିତ ଚାଲିବା, ଦୌଡ଼ିବା କିମ୍ବା ଖେଳିବାର ସୁଯୋଗ ପାଉନାହାନ୍ତି। ଫଳରେ ଓଜନ ବଢ଼ିବା ସହ ବିଭିନ୍ନ ମେଟାବଲିକ୍‌ ସମସ୍ୟା ସୃଷ୍ଟି ହେଉଛି।

ଡାଏବେଟିସ୍‌ ଚିହ୍ନଟ ହେବା ପରେ କୁକୁରଙ୍କୁ ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଇନସୁଲିନ୍‌ ଦିଆଯାଉଛି। ନିର୍ଦ୍ଧାରିତ ସମୟରେ ଔଷଧ ଓ ଇନସୁଲିନ୍‌ ଦେବା ସହ ଖାଦ୍ୟ, ଓଜନ ଏବଂ ପୋଷଣ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଶୁ ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି।

ବୁଲା କୁକୁରଙ୍କ ସ୍ଥିତି ମଧ୍ୟ ଚିନ୍ତାଜନକ। ଅନେକ ସମୟରେ ସେମାନଙ୍କୁ ମିଠା ବିସ୍କୁଟ୍, ଛଣାଛଣି ଖାଦ୍ୟ, ପୁରୀ, ଗୁଲୁଗୁଲା ଓ ଅନ୍ୟାନ୍ୟ ଅସ୍ୱାସ୍ଥ୍ୟକର ଖାଦ୍ୟ ଦିଆଯାଉଛି। ମଣିଷଙ୍କ ଖାଦ୍ୟ ସବୁବେଳେ କୁକୁରଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି ବିଶେଷଜ୍ଞମାନେ ସଚେତନ କରିଛନ୍ତି।

ମଧୁମେହ ଆକ୍ରାନ୍ତ କୁକୁରଙ୍କ ମଧ୍ୟରେ ଅଧିକ ତୃଷା ଲାଗିବା, ବାରମ୍ବାର ପରିସ୍ରା ହେବା, ଅଧିକ କିମ୍ବା ଅସାମାନ୍ୟ ଭୋକ, ଓଜନର ପରିବର୍ତ୍ତନ, ଦୁର୍ବଳତା ଓ ଶୀଘ୍ର ଥକିଯିବା ଭଳି ଲକ୍ଷଣ ଦେଖାଦେଇପାରେ। ଏଭଳି ଲକ୍ଷଣ ଦେଖିଲେ ନିଜେ ଔଷଧ ଦେବା ପରିବର୍ତ୍ତେ ତୁରନ୍ତ ପଶୁ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ।

ଭୁବନେଶ୍ୱର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ବାଳକୃଷ୍ଣ ଦ୍ୱିବେଦୀଙ୍କ କହିବା ଅନୁସାରେ, ସହିଦନଗର ପ୍ରାଣୀ ଚିକିତ୍ସାଳୟକୁ ନିୟମିତ ବ୍ୟବଧାନରେ ଡାଏବେଟିସ୍‌ ଆକ୍ରାନ୍ତ କୁକୁର ଚିକିତ୍ସା ପାଇଁ ଆସୁଛନ୍ତି। ସେହିପରି ଓୟୁଏଟି ପରିସରରେ ଥିବା ପଶୁ ଚିକିତ୍ସାଳୟରେ ମଧ୍ୟ କୁକୁରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଡାଏଟ୍‌ ଓ ପୋଷଣ ସମ୍ପର୍କରେ ପରାମର୍ଶ ଦିଆଯାଉଛି।

ଭେଟେରିନାରୀ କଲେଜର ଡିନ୍‌ (ଇନ୍‌ଚାର୍ଜ) ଡାକ୍ତର ନିରଞ୍ଜନ ସାହୁଙ୍କ ସୂଚନା ଅନୁସାରେ, ହସ୍ପିଟାଲକୁ ପ୍ରତି ମାସରେ ଡାଏବେଟିସ୍‌ ଓ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ କୁକୁର ଚିକିତ୍ସା ପାଇଁ ଆସୁଛନ୍ତି। ଆକ୍ରାନ୍ତ କୁକୁରଙ୍କ ପାଇଁ ଇନସୁଲିନ୍‌ ସହ ସଠିକ୍ ଡାଏଟ୍‌, ଓଜନ ନିୟନ୍ତ୍ରଣ ଏବଂ ପୋଷଣ ଉପରେ ଗୁରୁତ୍ୱ ଦିଆଯାଉଛି।

ତେଣୁ ପ୍ରିୟ କୁକୁରକୁ କେବଳ ଅଧିକ ଖାଇବାକୁ ଦେବା କିମ୍ବା ଗେହ୍ଲା କରିବା ଯଥେଷ୍ଟ ନୁହେଁ। ସେମାନଙ୍କ ବୟସ, ଓଜନ ଓ ସ୍ୱାସ୍ଥ୍ୟ ଅନୁସାରେ ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ସମୟସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ହିଁ ସୁସ୍ଥ ଜୀବନର ମୁଖ୍ୟ ଆଧାର।

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor