ଏମ୍‌କେସିଜି ମେଡିକାଲରେ ରୋଗୀଙ୍କୁ ଘାରୁଛି ଅଗ୍ନିକାଣ୍ଡ ଭୟ

Spread the love      ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମନରେ ଏବେ ଅଗ୍ନିକାଣ୍ଡକୁ ନେଇ ଆତଙ୍କ ଦେଖାଦେଇଛି। ମେଡିକାଲର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଜନିତ ସମସ୍ୟା ଓ ଅଗ୍ନିକାଣ୍ଡ ଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି। ଦୁର୍ବଳ ବିଦ୍ୟୁତ ଭିତ୍ତିଭୂମି, ବିଦ୍ୟୁତ ଯନ୍ତ୍ରାଂଶର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣର ଅଭାବକୁ ନେଇ ରୋଗୀଙ୍କ ସୁରକ୍ଷା ଉପରେ ଏବେ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ମେଡିକାଲରେ ଲାଗିଥିବା ବିଦ୍ୟୁତ…

Spread the love

ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମନରେ ଏବେ ଅଗ୍ନିକାଣ୍ଡକୁ ନେଇ ଆତଙ୍କ ଦେଖାଦେଇଛି। ମେଡିକାଲର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଜନିତ ସମସ୍ୟା ଓ ଅଗ୍ନିକାଣ୍ଡ ଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି। ଦୁର୍ବଳ ବିଦ୍ୟୁତ ଭିତ୍ତିଭୂମି, ବିଦ୍ୟୁତ ଯନ୍ତ୍ରାଂଶର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣର ଅଭାବକୁ ନେଇ ରୋଗୀଙ୍କ ସୁରକ୍ଷା ଉପରେ ଏବେ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ମେଡିକାଲରେ ଲାଗିଥିବା ବିଦ୍ୟୁତ ପ୍ୟାନେଲ, ତାର ଏବଂ ଅନ୍ୟାନ୍ୟ ବିଦ୍ୟୁତ ଉପକରଣର ସମୟାନୁସାରେ ଯାଞ୍ଚ ଓ ମରାମତି ହେଉନଥିବାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଜନିତ ଅଗ୍ନିକାଣ୍ଡର ଆଶଙ୍କା ବଢ଼ୁଛି। ଏହି ସମସ୍ୟା ସମ୍ପର୍କରେ ଜଣାଥିଲେ ମଧ୍ୟ ସାଧାରଣ ବିଦ୍ୟୁତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଠିକ୍ ସମୟରେ ନିଆଯାଉନଥିବା ନେଇ ଅଭିଯୋଗ ହୋଇଛି।

ନିକଟରେ ମେଡିକାଲର ମେଡିସିନ ବିଭାଗର ଏକ ବିଦ୍ୟୁତ ବୋର୍ଡରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଏହାକୁ ଦେଖି ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିଲା। ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିଲା। ତେବେ ଏଭଳି ଘଟଣା ପୁଣିଥରେ ମେଡିକାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।

ଅଭିଯୋଗ ଅନୁସାରେ, ଏମ୍‌କେସିଜି ଭଳି ଏକ ବଡ଼ ସରକାରୀ ମେଡିକାଲରେ ବିଦ୍ୟୁତ ଯୋଗାଣ ଓ ଯନ୍ତ୍ରାଂଶର ରକ୍ଷଣାବେକ୍ଷଣ ପାଇଁ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଏତେ ଖର୍ଚ୍ଚ ସତ୍ତ୍ୱେ ଯଦି ବାରମ୍ବାର ବିଦ୍ୟୁତ ପ୍ୟାନେଲରୁ ଧୂଆଁ ବାହାରିବା କିମ୍ବା ଅଗ୍ନିକାଣ୍ଡ ଭଳି ଘଟଣା ଘଟୁଛି, ତେବେ ଖର୍ଚ୍ଚ ହେଉଥିବା ଅର୍ଥ କେଉଁ କାମରେ ବ୍ୟବହୃତ ହେଉଛି, ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

ମେଡିକାଲର ଆଇସିୟୁ, ଅପରେସନ ଥିଏଟର, ଗୁରୁତର ରୋଗୀ ଥିବା ୱାର୍ଡ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ବିଭାଗରେ ବିଦ୍ୟୁତ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ। ଏଭଳି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ବିଶେଷକରି ଭେଣ୍ଟିଲେଟର କିମ୍ବା ଜୀବନ ରକ୍ଷାକାରୀ ଯନ୍ତ୍ର ଉପରେ ନିର୍ଭରଶୀଳ ରୋଗୀଙ୍କ ପାଇଁ ଏପରି ପରିସ୍ଥିତି ଅତ୍ୟନ୍ତ ବିପଦଜନକ।

ତେଣୁ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ସମଗ୍ର ମେଡିକାଲର ବିଦ୍ୟୁତ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ଆବଶ୍ୟକ। ପୁରୁଣା ଓ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ତାର, ପ୍ୟାନେଲ ଓ ଅନ୍ୟାନ୍ୟ ଉପକରଣର ତୁରନ୍ତ ମରାମତି କିମ୍ବା ପରିବର୍ତ୍ତନ କରାଯିବା ଦରକାର। ସେହିପରି ପ୍ରତ୍ୟେକ ବିଭାଗରେ ଫାୟାର ଆଲାର୍ମ ଓ ଅଗ୍ନି ନିର୍ବାପକ ଯନ୍ତ୍ର ଠିକ୍ ଭାବେ କାର୍ଯ୍ୟକ୍ଷମ ଅଛି କି ନାହିଁ, ତାହାର ନିୟମିତ ଯାଞ୍ଚ ହେବା ଉଚିତ।

ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ମେଡିକାଲ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଦ୍ୟୁତ ବିଭାଗ ତୁରନ୍ତ ଏହି ସମସ୍ୟା ଉପରେ ଦୃଷ୍ଟି ଦେବା ଦରକାର। ବଡ଼ ଦୁର୍ଘଟଣା ଘଟିବା ପରେ ନୁହେଁ, ବରଂ ଆଗୁଆ ସତର୍କତା ଓ ଠୋସ୍ ପଦକ୍ଷେପ ମାଧ୍ୟମରେ ଏମ୍‌କେସିଜି ମେଡିକାଲରେ ଅଗ୍ନିକାଣ୍ଡର ଆଶଙ୍କା ଦୂର କରିବାକୁ ଏବେ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor