ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ନାବାଳିକାଙ୍କୁ ଛୁରି ଦେଖାଇ ଭୟଭୀତ କରିବା ପରେ ଏକ ନିଛାଟିଆ ସ୍ଥାନକୁ ନେଇ ଏଭଳି ଅପରାଧ ଘଟାଇଥିଲା। ଘଟଣା ପରେ ଭୟ ଓ ଲଜ୍ଜାରେ ନାବାଳିକା ଦୀର୍ଘ ସମୟ ଧରି କାହାକୁ କିଛି କହିନଥିବା ଜଣାପଡ଼ିଛି। କିଛି ମାସ ପରେ ସେ ଗର୍ଭବତୀ ଥିବା ଜଣାପଡ଼ିବା ପରେ ଘଟଣାଟି ପଦାକୁ ଆସିଛି।
ସୂଚନା ଅନୁସାରେ, ନାବାଳିକାଙ୍କ ଘର ଭଞ୍ଜନଗର ଅଞ୍ଚଳରେ। ତେବେ ସେ ପିଲାଦିନରୁ ହିଞ୍ଜିଳିକାଟୁ ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ଗତ ଫେବୃଆରୀ ମାସରେ ଦଶମ ପରୀକ୍ଷା ସମୟରେ ସେ ନିଜର ଜଣେ ବାନ୍ଧବୀଙ୍କ ଘରକୁ ଯାଇଥିଲେ। ଦିନ ପ୍ରାୟ ଗୋଟାଏ ସମୟରେ ସେ ସେଠାରୁ ନିଜ ସମ୍ପର୍କୀୟଙ୍କ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ନାବାଳିକା ଜଣକ ରାସ୍ତାରେ ଫେରୁଥିବା ବେଳେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲା। ଅଭିଯୋଗ ଅନୁସାରେ, ଦୁର୍ବୃତ୍ତ ଜଣକ ଛୁରି ଦେଖାଇ ତାଙ୍କୁ ଭୟଭୀତ କରିଥିଲା। ପରେ ତାଙ୍କୁ ନିକଟସ୍ଥ ଏକ ନିର୍ଜନ ସ୍ଥାନକୁ ନେଇ ଧମକ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଏହି ଘଟଣା ପରେ ଭୟଭୀତ ନାବାଳିକା ଜଣକ ଘରକୁ ଫେରିଥିଲେ। ଦୁର୍ବୃତ୍ତର ଧମକ ଯୋଗୁଁ ସେ ଏ ସମ୍ପର୍କରେ ପରିବାର ଲୋକଙ୍କୁ କିଛି କହିପାରିନଥିବା ସୂଚନା ମିଳିଛି।
ଘଟଣାର ପ୍ରାୟ ୫ ମାସ ପରେ ନାବାଳିକାଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତରୀ ପରୀକ୍ଷା ପରେ ନାବାଳିକା ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ପଠାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବା ଡିସିପିଓ ରାଜଶ୍ରୀ ଦାଶ ଏହାକୁ ଗୁରୁତ୍ୱର ସହ ନେଇଥିଲେ। ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରାଯାଇଥିଲା। ପୀଡ଼ିତା ଓ ତାଙ୍କ ପରିବାର ପକ୍ଷରୁ ଥାନାରେ ତୁରନ୍ତ ଅଭିଯୋଗ ଦାଖଲ କରିବାରେ ଅନିଚ୍ଛା ପ୍ରକାଶ ପାଇଥିବାରୁ ଡିସିପିଓଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।
ଅଭିଯୋଗ ଆଧାରରେ ହିଞ୍ଜିଳିକାଟୁ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କିଏ, ତାହା ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଘଟଣା ସମୟରେ ଦୁର୍ବୃତ୍ତ ମୁହଁ ଢାଙ୍କିଥିବାରୁ ତଦନ୍ତରେ କିଛି ଚ୍ୟାଲେଞ୍ଜ ରହିଥିବା ସତ୍ତ୍ୱେ ପୁଲିସ ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରୁଥିବା ସୂଚନା ମିଳିଛି।
ଏହି ଘଟଣା ପୁଣିଥରେ ନାବାଳିକାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ଅଭିଯୁକ୍ତକୁ ଶୀଘ୍ର ଚିହ୍ନଟ କରି ଗିରଫ କରାଯିବା ସହ ପୀଡ଼ିତାଙ୍କୁ ଆବଶ୍ୟକ ଚିକିତ୍ସା ଓ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଏବେ ପୁଲିସ ତଦନ୍ତ ପରେ ଏହି ଘଟଣାରେ କେବେ ଓ କିଭଳି ଅଭିଯୁକ୍ତକୁ ଧରାଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।














