ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଓଡ଼ିଶା ପାଇଁ ବର୍ଷାର ବଡ଼ ସଙ୍କେତ ଦେଇଛି। ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ପ୍ରାୟ ୯.୪ କିମି ଉଚ୍ଚତା ଯାଏଁ ବିସ୍ତାରିତ ରହିଥିବାରୁ ଆଗାମୀ ୪୮ ଘଣ୍ଟାରେ ରାଜ୍ୟର ଅନେକ ଅଞ୍ଚଳରେ ପାଗ ବିଗିଡ଼ିବା ସମ୍ଭାବନା ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିପାରେ। ବିଶେଷକରି କଳାହାଣ୍ଡି ଓ କନ୍ଧମାଳ ପାଇଁ ଭୀଷଣ ବର୍ଷା ଆଶଙ୍କା ଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି।
ସେହିପରି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଆସନ୍ତାକାଲି ମଧ୍ୟ କିଛି ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ବର୍ଷାର ପ୍ରକୋପ ଜାରି ରହିପାରେ। କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ ବଲାଙ୍ଗୀରରେ ମଧ୍ୟ ଭାରୀ ବର୍ଷା ହୋଇପାରେ।
ବର୍ଷା ସମୟରେ ଘଣ୍ଟାପ୍ରତି ୩୦ରୁ ୫୦ କିମି ବେଗରେ ଝଟକା ପବନ ବହିବାର ଆଶଙ୍କା ରହିଛି। ଓଡ଼ିଶା ଉପକୂଳରେ ପବନର ବେଗ ୪୦ରୁ ୫୦ କିମି ଏବଂ ସର୍ବାଧିକ ୬୦ କିମି ଯାଏଁ ପହଞ୍ଚିପାରେ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୪୮ ଘଣ୍ଟା ଯାଏଁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ଏପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିବା ବେଳେ ୭ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। କଟକ ବାଙ୍କୀରେ ସର୍ବାଧିକ ୧୦୪ ମିମି ବର୍ଷା ହୋଇଛି।
ଜୁନ୍ ୧ରୁ ଏଯାଏଁ ରାଜ୍ୟରେ ୧୧୯୮.୪ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ବର୍ଷାଠାରୁ ୧୯ ପ୍ରତିଶତ ଅଧିକ। ତେବେ ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ତାରିଖ ଯାଏଁ ବର୍ଷାର ପ୍ରଭାବ ରହିପାରେ। ତେଣୁ ରାଜ୍ୟବାସୀଙ୍କୁ ପାଣିପାଗ ବିଭାଗର ସତର୍କତା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।














