ଉମରକୋଟ, ୧୩/୯: ପଲିଥିନ୍ ତଳେ ବିତୁଛି ଜୀବନ। ମୁଣ୍ଡ ଉପରେ ଛାତ ନାହିଁ, ଚାରିପଟେ କାନ୍ଥ ନାହିଁ। ବର୍ଷା ହେଲେ ଘର ଭିତରେ ପାଣି-କାଦୁଅ, ରାତି ହେଲେ ଜଙ୍ଗଲି ଜନ୍ତୁଙ୍କ ଭୟ। ଏଭଳି ଦୟନୀୟ ସ୍ଥିତିରେ ଜୀବନ କାଟୁଛନ୍ତି ୬୦ ବର୍ଷୀୟା ପଦ୍ମିନୀ ମାଝୀ। ସରକାରୀ ସହାୟତା ନାଁରେ ମିଳୁଛି କେବଳ ୫ କେଜି ଚାଉଳ। ନା ମିଳିଛି ଆବାସ ଘର, ନା ଭତ୍ତା। ଅସହାୟ ମହିଳାଙ୍କ ଏଭଳି ଦୁର୍ଦ୍ଦଶା ଏବେ ସରକାରୀ ଯୋଜନାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି।
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆପାଣି ଗାଁରେ ରହୁଛନ୍ତି ପଦ୍ମିନୀ। ଗାଁ ମୁଣ୍ଡରେ ଏକ ଭଙ୍ଗାଦଦରା କୁଡ଼ିଆ ହିଁ ତାଙ୍କର ଏକମାତ୍ର ଆଶ୍ରୟସ୍ଥଳ। କେଇଖଣ୍ଡ କାଠକୁ ଠିଆ କରାଯାଇ ତା’ ଉପରେ ଚିରାଫଟା ପଲିଥିନ୍ ଢଙ୍କା ଯାଇଛି। କବାଟ ନାହିଁ କି ଝରକା ନାହିଁ। ବର୍ଷା ଆସିଲେ ଘର ଭିତରକୁ ପାଣି ପଶିଯାଏ। ଶୀତ, ବର୍ଷା ଓ ଖରା—ସବୁ ଋତୁରେ ଏହି କୁଡ଼ିଆ ହିଁ ତାଙ୍କ ସାଥୀ।
ପଦ୍ମିନୀଙ୍କ ଘର ଭିତରକୁ ଦେଖିଲେ ତାଙ୍କ ଜୀବନର ଦୁର୍ଦ୍ଦଶା ସ୍ପଷ୍ଟ ବାରି ହୋଇପଡ଼େ। ଗୋଟିଏ ପାଖରେ ଅଧାଭଙ୍ଗା ଚୁଲି। ପାଖରେ ମାଟି ପାତ୍ରରେ କିଛି ଚାଉଳ। ରୋଷେଇ ପାଇଁ ତେଲ, ଲୁଣ କିମ୍ବା ଅନ୍ୟ ସାମଗ୍ରୀ ମଧ୍ୟ ନାହିଁ। କାଠରେ ଝୁଲୁଛି କେଇଖଣ୍ଡ ଲୁଗାପଟା। ଏତିକି ସମ୍ବଳରେ ଚାଲିଛି ତାଙ୍କ ଜୀବନ।
ପଦ୍ମିନୀଙ୍କ ଜୀବନରେ ଦୁଃଖର ତାଲିକା ବି ଲମ୍ବା। ଯାହାଙ୍କ ହାତ ଧରି ସାରା ଜୀବନ ଚାଲିବାର ସ୍ୱପ୍ନ ଦେଖିଥିଲେ, ସେହି ସ୍ୱାମୀ ଅଧାବାଟରେ ହାତ ଛାଡ଼ିଦେଇଛନ୍ତି। ପୁଣି ଅଜଣା ଜ୍ୱରରେ ପୁଅଙ୍କୁ ହରାଇଛନ୍ତି। ଝିଅ ବାହା ହୋଇ ନିଜ ସଂସାରରେ ବ୍ୟସ୍ତ। ଫଳରେ ଏବେ ଏକାକୀ ଜୀବନ କାଟୁଛନ୍ତି ପଦ୍ମିନୀ।
ବୟସ ବଢ଼ିବା ସହ ଶରୀରରେ ଆଉ କାମ କରିବାର ଶକ୍ତି ନାହିଁ। ପାଖ ପଡ଼ୋଶୀ ଡାକିଲେ ଛୋଟମୋଟ କାମ କରି ଯାହା ପାରିଶ୍ରମିକ ମିଳେ, ସେଥିରେ କିଛି ତେଲଲୁଣ ଯୋଗାଡ଼ କରନ୍ତି। ଅନେକ ସମୟରେ ଗାଁ ଲୋକଙ୍କ ସହାୟତା ହିଁ ତାଙ୍କ ଭରସା। ଅଭାବ ଏତେ ଯେ ଅଧାଦିନ ଓପାସରେ ରହିବାକୁ ପଡ଼ୁଥିବା କହିଛନ୍ତି ପଦ୍ମିନୀ।
ତାଙ୍କ ଏଭଳି ଦୁର୍ଦ୍ଦଶା ସମ୍ପର୍କରେ ଜାଣିବା ପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଉମରକୋଟ ବିଡିଓଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବା ପରେ ପଦ୍ମିନୀଙ୍କୁ ଘର ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦମୟନ୍ତୀ ନାୟକଙ୍କୁ ମଧ୍ୟ ଘଟଣା ବିଷୟରେ ଅବଗତ କରାଯାଇଛି। ପଦ୍ମିନୀ ସ୍ୱାମୀ ପରିତ୍ୟକ୍ତା ହୋଇଥିବାରୁ ଭତ୍ତା ପାଇବାକୁ ଯୋଗ୍ୟ ବୋଲି ସେ କହିଛନ୍ତି। ସରକାରୀ ନିୟମ ଅନୁସାରେ ଖୁବଶୀଘ୍ର ତାଙ୍କୁ ମାସିକ ୧ ହଜାର ଟଙ୍କା ଭତ୍ତା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପଟେ ପଦ୍ମିନୀଙ୍କ ଦୁର୍ଦ୍ଦଶାକୁ ନେଇ ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଦୀପ ମାଝୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗ୍ରାମାଞ୍ଚଳରେ ସରକାରୀ ଯୋଜନାର ବାସ୍ତବ କାର୍ଯ୍ୟକାରିତା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ପଲିଥିନ୍ ତଳେ ପଦ୍ମିନୀଙ୍କ ଜୀବନ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି। ପ୍ରଶାସନର ଆଶ୍ୱାସନ କେବେ ବାସ୍ତବ ରୂପ ନେବ, ପଦ୍ମିନୀଙ୍କ ମୁଣ୍ଡ ଉପରେ କେବେ ପକ୍କା ଛାତ ହେବ—ତାହାକୁ ହିଁ ଅପେକ୍ଷା।












