ବ୍ରହ୍ମପୁର, ୨୫/୮: ଜେଲ ଚାରିକାନ୍ଥ ମଧ୍ଯ ରେ 48 ଘଣ୍ଟା ବିତାଇବା ପରେ ସର୍ତ୍ତମୂଳକ ଜାମିନ ପାଇଛନ୍ତି ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସୋମନାଥ ପାତ୍ର। ତାଙ୍କ ମୁକ୍ତି ପରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାରାଗାର ସମ୍ମୁଖରେ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ସୋମନାଥ ପାତ୍ରଙ୍କୁ ସ୍ୱାଗତ କରିବା ପାଇଁ ବାଣ ଓ ବାଜାର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା। ସୋମନାଥ ଙ୍କ ସତାଧିକ ସମର୍ଥକ ଏକ ବିରାଟ ଶୋଭାଯାତ୍ରା ବାହା ପୋଲିସ ବିରୁଦ୍ଧରେ ଶକ୍ତି ପଦର୍ଶନ କରିଥିଲେ। ସୋମନାଥ ଙ୍କୁ ସାଥିରେ ନେଇ ବିରାଟ ଶୋଭାଯାତ୍ରାରେ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳ ଦେଇ ଯାଇ ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ମାଁ ଙ୍କଦର୍ଶନକରିଥିଲେ। ପରେ ଶୋଭାଯାତ୍ରାରେ ହିଲପାଟଣାସ୍ଥିତ ବିଜେପିର ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲା।
କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତଙ୍କ ସମେତ ଦଳର ବହୁ ନେତା ସୋମନାଥ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଅବସରରେ ସୋମନାଥ ପାତ୍ର ତାଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କ କହିବା ଅନୁଯାୟୀ, ତାଙ୍କୁ କେଉଁ ପରିସ୍ଥିତିରେ ଏବଂ କାହା ନିର୍ଦ୍ଦେଶରେ ଗିରଫ କରାଗଲା, ସେନେଇ ତଦନ୍ତ ଆବଶ୍ୟକ। ପୋଲିସ ଅଧିକାରୀ ସୌଭାଗ୍ୟ ସ୍ୱାଇଁ, ଗୋପାଳପୁର ଆଇଆଇସି, ସଦର ଥାନା ଆଇଆଇସି ଓ ଏସ୍ପିଙ୍କ ମଧ୍ୟରେ ଏହି ଘଟଣାକୁ ନେଇ କି ପ୍ରକାର ସମନ୍ୱୟ ରହିଥିଲା, ତାହା ମଧ୍ୟ ତଦନ୍ତସାପେକ୍ଷ ବୋଲି ସେ କହିଥିଲେ।
ତାଙ୍କୁ ଆକ୍ରୋଶମୂଳକ ଓ ଉଦ୍ଦେଶ୍ୟପ୍ରଣୋଦିତ ଭାବେ ଷଡ଼ଯନ୍ତ୍ର କରି ଗିରଫ କରାଯାଇଥିବା ସୋମନାଥ ଅଭିଯୋଗ କରିଥିଲେ। ଏଥିସହ ଜଣେ ଦଳୀୟ କାର୍ଯ୍ୟକର୍ତ୍ତା ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ପୋଲିସକୁ ପ୍ରଶ୍ନ କରିବାରୁ ଯଦି ଗିରଫ ହେବାକୁ ପଡ଼େ, ତେବେ ସାଧାରଣ ଲୋକଙ୍କ ପ୍ରତି ପୋଲିସର ଆଭିମୁଖ୍ୟ କିପରି ହେଉଥିବ, ସେନେଇ ସେ ପ୍ରଶ୍ନ କରିଥିଲେ। ଆଗାମୀ ଦିନରେ ଗାଁ ଗାଁରେ ସଂଗଠନକୁ ଆହୁରି ମଜବୁତ କରିବା ସହ ଗଣତାନ୍ତ୍ରିକ ଉପାୟରେ ଏହାର ଜବାବ ଦିଆଯିବ ବୋଲି ସେ କହିଥିଲେ।
ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ସରକାର ଓ ସଂଗଠନ ସହ ସମନ୍ୱୟ ରଖି ଜନସାଧାରଣଙ୍କ ସମସ୍ୟା ଓ ସ୍ୱାର୍ଥ ପାଇଁ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ତୁତୁନ୍ ପାତ୍ର, ରାଜ୍ୟ ଏସ୍ସି ମୋର୍ଚ୍ଚା ଉପସଭାପତି ବନମାଳୀ ସେଠୀ, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଗୌରୀ ସାମନ୍ତରା, ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ ଓ ପ୍ରବୀର ପାତ୍ର, ଜିଲ୍ଲା ସମ୍ପାଦକ ଶିବଙ୍କର ନାୟକ, ବରିଷ୍ଠ ନେତା ସୁନୀଲ କୁମାର ସାହୁ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ଦାଶଙ୍କ ସମେତ ବହୁ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ସେହିପରି ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ବି. ରବି ରାଓ, କିଶୋର କୁମାର ସାହୁ, ଆଲୋକ କୁମାର ସାହୁ, ସାଧାରଣ ସମ୍ପାଦକ କୃଷ୍ଣ ପୋଲାଇ ଓ ଗୋପୀନାଥ ମହାରଣା, ଜିଲ୍ଲା ସମ୍ପାଦକ ସୁମିତ୍ ପାତ୍ର, ଅମର ସାହୁ, କାହ୍ନା ପାତ୍ର, ସୁମନ ରାଉଳ, ଗଣମାଧ୍ୟମ ସଂଯୋଜକ ସୁନିଲ ଦୋରାଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଓ ଶତାଧିକ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଏଠି ପ୍ରଶ୍ନ ଉଠୁଛି ପୋଲିସ୍ ନେଇଥିବା କାର୍ଯ୍ୟାନୁଷ୍ଠାନ କେତେ ଦୁର ଠିକ୍। ପୋଲିସ୍ କାମ ରେ ବାଧା ଦେବା କଣ ଠିକ୍ କରିଥିଲେ କି ବିଜେପି ଯୁବ ନେତା ସୋମନାଥ! ଆଇନ ଠାରୁ ଉର୍ଦ୍ଧ ରେ ରହି ପାରିବେ କି ଦଳିୟ ନେତା। ଏଭଳି ଅନେକ ପ୍ରଶ୍ନ ଚର୍ଚ୍ଚାର ବିସୟ ପାଲଟିଥିବା ବେଳେ ଜେଲ ରୁ ମୁକୁଳି ପୋଲିସ ବିରୁଦ୍ଧ ରେ ଯୁବ ନେତାଙ୍କ ଶକ୍ତି ପଦର୍ଶନ ଆଗାମି ଦିନ ରେ କି ମୋଡ ନେଉଛି ତାକୁ ହିଁ ଅପେକ୍ଷା।














