ଭୁବନେଶ୍ୱର: ଖଣି ଓ ଖଣିଜ ସମ୍ପଦ ସମ୍ପର୍କିତ ଏମଏମଡିଆର୍ (MMDR) ସଂଶୋଧନ ବିଲ୍କୁ ନେଇ ରାଜନୈତିକ ତାତି ବଢ଼ିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିଲ୍କୁ ଓଡ଼ିଶାର ଆର୍ଥିକ ସ୍ୱାର୍ଥ ପାଇଁ ଚିନ୍ତାଜନକ ବୋଲି କହିଛନ୍ତି। ତାଙ୍କ ମତରେ, ଏହା ଲାଗୁ ହେଲେ ରାଜ୍ୟର ଖଣିଜ ରାଜସ୍ୱ ଉପରେ ପ୍ରଭାବ ପଡ଼ିବ ଏବଂ ଆଗାମୀ ଦିନରେ ଓଡ଼ିଶା ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରେ।
ଏକ ଭିଡିଓ ବାର୍ତ୍ତାରେ ନବୀନ କହିଛନ୍ତି, ୨୦୦୦ ମସିହାରେ ରାଜ୍ୟର ଅର୍ଥନୀତି ଦୁର୍ବଳ ଥିବା ସମୟରେ ସରକାର ଦାୟିତ୍ୱ ନେଇଥିଲେ। ଦୀର୍ଘ ସମୟର ଆର୍ଥିକ ପରିଚାଳନା ପରେ ଓଡ଼ିଶା ରାଜସ୍ୱ ବଳକା ରାଜ୍ୟ ଭାବେ ନିଜର ପରିଚୟ ତିଆରି କରିଥିଲା ବୋଲି ସେ ଦାବି କରିଛନ୍ତି। ଖଣିଜ ରାଜସ୍ୱ ଏହି ଆର୍ଥିକ ପ୍ରଗତିରେ ବଡ଼ ଭୂମିକା ନେଇଥିବା ମଧ୍ୟ ସେ କହିଛନ୍ତି।
ନବୀନଙ୍କ ଅଭିଯୋଗ ଅନୁସାରେ, ନୂଆ ସଂଶୋଧନ ଫଳରେ ଓଡ଼ିଶା ନିଜ ଖଣିଜ ସମ୍ପଦରୁ ପାଉଥିବା ରାଜସ୍ୱରେ ବଡ଼ ପ୍ରଭାବ ପଡ଼ିପାରେ। ବିଶେଷକରି ଲୁହାପଥର, କୋଇଲା, ବକ୍ସାଇଟ୍, କ୍ରୋମାଇଟ୍ ଓ ମାଙ୍ଗାନିଜ ଭଳି ଖଣିଜ ସମ୍ପଦରୁ ମିଳୁଥିବା ଆୟ ରାଜ୍ୟର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଛନ୍ତି।
ତାଙ୍କ କହିବା ଅନୁଯାୟୀ, ଖଣିଜ ରାଜସ୍ୱରେ କମି ଆସିଲେ ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ କାମ ପ୍ରଭାବିତ ହୋଇପାରେ। ସ୍କୁଲ, କଲେଜ, ହସ୍ପିଟାଲ, ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ସହିତ ଗରିବ ଓ ଚାଷୀଙ୍କ ପାଇଁ ହେଉଥିବା କଲ୍ୟାଣମୂଳକ କାର୍ଯ୍ୟରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।
ଏହି ପ୍ରସଙ୍ଗରେ ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସର୍ବଦଳୀୟ ବୈଠକ ଓ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଥିବା କହିଛନ୍ତି। ରାଜ୍ୟର ସ୍ୱାର୍ଥରେ ସମସ୍ତ ଦଳ ଏକାଠି ହେବା ଆବଶ୍ୟକ ବୋଲି ମଧ୍ୟ ସେ ମତ ଦେଇଛନ୍ତି।
ଶେଷରେ ନବୀନ କହିଛନ୍ତି, ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରର ସୁରକ୍ଷା ପାଇଁ ସେ ଲଢ଼େଇ ଜାରି ରଖିବେ। ଏହି ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ମଧ୍ୟ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି।












