ଡାଲମା କାହାର? ୟୁପି ଦାବି ପରେ ତେଜିଲା ବିବାଦ, ଶ୍ରୀମନ୍ଦିର ଭୋଗରୁ ଓଡ଼ିଆ ଘରର ପରିଚୟ ଡାଲମା

Spread the love      ପୁରୀ, ୧୩/୦୯: ଓଡ଼ିଆ ଖାଦ୍ୟ କଥା ଉଠିଲେ ଡାଲମାର ନାଁ ଆପେଆପେ ଆସେ। ଅନ୍ନ ସାଙ୍ଗରେ ଡାଲମା—ଏହି ଯୋଡ଼ି ଓଡ଼ିଆଙ୍କ ଖାଦ୍ୟ ପରମ୍ପରାର ଏକ ସ୍ୱତନ୍ତ୍ର ପରିଚୟ। ବିଶେଷକରି ଶ୍ରୀକ୍ଷେତ୍ର ପୁରୀରେ ଡାଲମାର ରହିଛି ଭିନ୍ନ ମହତ୍ତ୍ୱ। ଶ୍ରୀମନ୍ଦିରର ଭୋଗରେ ଡାଲମାର ସ୍ଥାନ ଥିବାରୁ ଏହା କେବଳ ଏକ ବ୍ୟଞ୍ଜନ ନୁହେଁ, ବରଂ ଓଡ଼ିଶାର ଖାଦ୍ୟ ଓ ପରମ୍ପରା ସହ ଜଡ଼ିତ ଏକ ଭାବନା। ଏହି ଡାଲମାକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ…

Spread the love

ପୁରୀ, ୧୩/୦୯: ଓଡ଼ିଆ ଖାଦ୍ୟ କଥା ଉଠିଲେ ଡାଲମାର ନାଁ ଆପେଆପେ ଆସେ। ଅନ୍ନ ସାଙ୍ଗରେ ଡାଲମା—ଏହି ଯୋଡ଼ି ଓଡ଼ିଆଙ୍କ ଖାଦ୍ୟ ପରମ୍ପରାର ଏକ ସ୍ୱତନ୍ତ୍ର ପରିଚୟ। ବିଶେଷକରି ଶ୍ରୀକ୍ଷେତ୍ର ପୁରୀରେ ଡାଲମାର ରହିଛି ଭିନ୍ନ ମହତ୍ତ୍ୱ। ଶ୍ରୀମନ୍ଦିରର ଭୋଗରେ ଡାଲମାର ସ୍ଥାନ ଥିବାରୁ ଏହା କେବଳ ଏକ ବ୍ୟଞ୍ଜନ ନୁହେଁ, ବରଂ ଓଡ଼ିଶାର ଖାଦ୍ୟ ଓ ପରମ୍ପରା ସହ ଜଡ଼ିତ ଏକ ଭାବନା।

ଏହି ଡାଲମାକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। ଉତ୍ତରପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବିଭାଗର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଓଡ଼ିଶାରେ ପ୍ରତିକ୍ରିୟା ଦେଖାଦେଇଛି। ଡାଲମା ଉପରେ ୟୁପି ପକ୍ଷରୁ ଅଧିକାର ସାବ୍ୟସ୍ତ କରାଯାଉଥିବା ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ପୁରୀରେ ଏହାକୁ ନେଇ ଅସନ୍ତୋଷ ତେଜିଛି।

ଓଡ଼ିଶାର ରସଗୋଲାକୁ ନେଇ ପୂର୍ବରୁ ଯେଉଁଭଳି ତର୍କ ଦେଖାଦେଇଥିଲା, ଡାଲମାକୁ ନେଇ ଏବେ ସେଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଥିବା ମତ ପ୍ରକାଶ ପାଇଛି। ଓଡ଼ିଶାର ଲୋକଙ୍କ ପାଇଁ ଡାଲମା କେବଳ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ; ଏହା ପିଢ଼ି ପରେ ପିଢ଼ି ଚାଲିଆସିଥିବା ଏକ ଖାଦ୍ୟ ପରମ୍ପରା।

ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସଙ୍କ ମତରେ, ଓଡ଼ିଶାରେ ବିଶେଷକରି ପୁରୀ ଓ ଉପକୂଳ ଅଞ୍ଚଳରେ ଡାଲମାର ବ୍ୟବହାର ବହୁ ପୁରୁଣା। ଶ୍ରୀଜଗନ୍ନାଥଙ୍କ ଭୋଗ ସହ ଏହାର ସମ୍ପର୍କ ମଧ୍ୟ ଦୀର୍ଘଦିନର। ତାଙ୍କ କହିବା ଅନୁଯାୟୀ, ଡାଲମାରେ ବ୍ୟବହୃତ ଡାଲି ଓ ବିଭିନ୍ନ ପରିବା ଏହାକୁ ପୁଷ୍ଟିକର ଖାଦ୍ୟରେ ପରିଣତ କରେ।

ପୁରୀର ଡାଲମାର ସ୍ୱାଦକୁ ନେଇ ମଧ୍ୟ ରହିଛି ଏକ ସ୍ୱତନ୍ତ୍ର ପରିଚୟ। ଘିଅରେ ପଞ୍ଚଫୁଟଣର ଛୁଙ୍କ, ଅଦା, ହେଙ୍ଗୁ, ଜିରା, ଧନିଆ, ଗୋଲମରିଚ ଓ ବିଭିନ୍ନ ପରିବାର ମିଶ୍ରଣ ଡାଲମାକୁ ଦେଇଥାଏ ଅଲଗା ସ୍ୱାଦ। ପୁରୀରେ ଏହାକୁ ଅନେକ ସମୟରେ ‘ବାଡ଼ିଆ ଡାଲମା’ ବୋଲି କୁହାଯାଏ। ଏହାର ଗାଢ଼ତା ଓ ସ୍ୱାଦ ହିଁ ଏହାକୁ ଅନ୍ୟ ଖାଦ୍ୟଠାରୁ ଭିନ୍ନ କରିଥାଏ।

ମହାପ୍ରଭୁଙ୍କ ସେବକ ତଥା ଡାଲମା ପ୍ରସ୍ତୁତି ପାଇଁ ପରିଚିତ ସୁରେଶ କର କହିଛନ୍ତି, ପାରମ୍ପରିକ ପ୍ରଣାଳୀରେ ଡାଲିକୁ ପ୍ରଥମେ ଭଲଭାବେ ଧୋଇ ବତୁରାଯାଏ। ପରେ ଫୁଟା ପାଣିରେ ଡାଲି ସିଝାଇ ତା’ରେ ବିଭିନ୍ନ ପରିବା, ନଡ଼ିଆ, ଅଦା, ହେଙ୍ଗୁ, ହଳଦୀ ଓ ଲୁଣ ଦିଆଯାଏ। ଶେଷରେ ଘିଅରେ ପଞ୍ଚଫୁଟଣର ଛୁଙ୍କ ସହ ତେଜପତ୍ର ଓ ଶୁଖିଲା ଲଙ୍କାର ବଘାର ଡାଲମାର ସ୍ୱାଦକୁ ଆହୁରି ବଢ଼ାଇଦିଏ।

ଏହି ପରମ୍ପରା ଗୋଟିଏ ପିଢ଼ିରେ ସୀମିତ ନୁହେଁ। ପୁରୀର ଅନେକ ପରିବାରରେ ପୂର୍ବଜଙ୍କଠାରୁ ଚାଲିଆସୁଥିବା ଡାଲମା ପ୍ରସ୍ତୁତିର ପରମ୍ପରା ଆଜି ବି ଜାରି ରହିଛି। ତେଣୁ ଡାଲମା ଓଡ଼ିଆଙ୍କ ରୋଷେଇଘର ସହ ଗଭୀର ଭାବେ ଜଡ଼ିତ।

ଶ୍ରୀମନ୍ଦିର ମହାସୁଆର ନିଯୋଗ ସମ୍ପାଦକ ଗଣେଶ୍ୱର ମହାସୁଆରଙ୍କ କହିବାନୁଯାୟୀ, ଶ୍ରୀମନ୍ଦିରରେ ବହୁ ପୁରୁଣା କାଳରୁ ଡାଲମା ଭୋଗ ହୋଇଆସୁଛି। ଦୀର୍ଘ ୩୦ ବର୍ଷର ସେବା ଅନୁଭବ ଭିତରେ ସେ ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ଭୋଗମଣ୍ଡପରେ ମହାପ୍ରଭୁଙ୍କ ଭୋଗରେ ଡାଲମା ଲାଗି ହେଉଥିବା ଦେଖିଛନ୍ତି।

ଅର୍ଥାତ୍‌ ଓଡ଼ିଆଙ୍କ ପାଇଁ ଡାଲମା କେବଳ ଏକ ପାତ୍ରରେ ପରିବେଷିତ ଖାଦ୍ୟ ନୁହେଁ। ଏହା ସହ ଜଡ଼ିତ ରହିଛି ଶ୍ରୀଜଗନ୍ନାଥ ସଂସ୍କୃତି, ପୁରୀର ପରମ୍ପରା ଓ ଓଡ଼ିଆଙ୍କ ଘରୋଇ ରୋଷେଇର ସ୍ମୃତି। ତେଣୁ ୟୁପିର ସୋସିଆଲ ମିଡିଆ ପୋଷ୍ଟ ପରେ ଡାଲମାର ପରିଚୟକୁ ନେଇ ଚର୍ଚ୍ଚା ଯେତେ ବଢ଼ୁଛି, ଓଡ଼ିଶାରେ ଡାଲମା ସହ ଜଡ଼ିତ ଭାବନା ମଧ୍ୟ ସେତେ ଜୋରଦାର ହେଉଛି।

Leave a Reply

Your email address will not be published. Required fields are marked *

Latest News

View All

BlockSpare — News, Magazine and Blog Addons for (Gutenberg) Block Editor